୯ ଦିନରେ ୮ ଥର ବଢ଼ିଲାଣି ତେଲ ଦର, ଏଥର ଲିଟର ପିଛା ଦେବାକୁ ପଡ଼ିବ…

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ତେଲ ଦର । କ୍ରମାଗତ ଭାବେ ଆଜି ପୁଣି ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଏହାକୁ ମିଶାଇ ୯ ଦିନରେ ଲଗାତର ଭାବେ ୮ ଥର ବଢ଼ିଲାଣି ତେଲ ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୧୦୧ ଟଙ୍କା ୧ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୨ ଟଙ୍କା ୨୭ ପଇସାରେ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ୧୧୫ ଟଙ୍କା ୮୮ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ୧୦୦ ଟଙ୍କା ୧୦ ପଇସାରେ ପହଞ୍ଚିଛି । ଏପଟେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି । ଆଜିର ନୂଆ ଦରକୁ ମିଶାଇ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୧୧ ପଇସାରୁ ବୃଦ୍ଧି ପାଇ ୧୦୭ ଟଙ୍କା ୯୭ ପଇସା ଓ ଡିଜେଲ ଲିଟର ପିଛା ୯୬ ଟଙ୍କା ୮୩ ପଇସାରୁ ବୃଦ୍ଧି ପାଇ ୯୭ ଟଙ୍କା ୬୮ ପଇସାରେ ପହଞ୍ଚିଛି ।

ଚାରି ମାସର ବ୍ୟବଧାନ ପରେ ଗତ ୨୨ ତାରିଖରୁ ନିୟମିତ ଭାବେ ବଢୁଛି ତେଲ ଦର । କେବଳ ୨୪ ମାର୍ଚ୍ଚରେ ତେଲ ଦର ସ୍ଥିର ଥିଲା । ତେବେ ୨୯ମାର୍ଚ୍ଚରେ ବଢିଥିବା ତେଲ ଦରକୁ ମିଶାଇ ଗତ ୯ଦିନ ହେବ ପାଖାପାଖି ୫ଟଙ୍କା ୫୦ପଇସା ତେଲ ଦର ବୃଦ୍ଧି ପାଇଛି ।

କେଉଁ ଦିନ କେତେ ବଢିଛି ତେଲ ଦର ?

୨୨ ମାର୍ଚ୍ଚ – ୮୦ ପଇସା

୨୩ ମାର୍ଚ୍ଚ – ୮୦ ପଇସା

୨୫ ମାର୍ଚ୍ଚ – ୮୦ ପଇସା

୨୬ ମାର୍ଚ୍ଚ – ୮୦ ପଇସା

୨୭ ମାର୍ଚ୍ଚ – ୫୦ ପଇସା

୨୮ ମାର୍ଚ୍ଚ – ୩୦ ପଇସା

୨୯ ମାର୍ଚ୍ଚ – ୮୦ ପଇସା

୩୦ ମାର୍ଚ୍ଚ – ୮୦ ପଇସା