ଟିଣ ଜାର କି କାଚ ବୋତଲ ନେଲେ ବି ପେଟ୍ରୋଲ ପମ୍ପରେ ମିଳୁନି ପେଟ୍ରୋଲ

ରାୟଗଡ଼ା: ଟିଣ ଜାର କି କାଚ ବୋତଲ ନେଲେ ବି ପେଟ୍ରୋଲ ପମ୍ପରେ ମିଳୁନି ପେଟ୍ରୋଲ । ଫଳରେ ପ୍ରଭାବିତ ଚାଷ କାର୍ଯ୍ୟ । ପେଟ୍ରୋଲ ପମ୍ପ ଠାରୁ ବହୁ ଦୂରରେ ଥିବା ଗ୍ରାମବାସୀ ଭୋଗୁଛନ୍ତି ନାହିଁ ନଥିବା ସମସ୍ୟା । ବାଲେଶ୍ବର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ରାଜ୍ୟ ସରକାର ଓ ପେଟ୍ରୋଲପମ୍ପ ମାଲିକସଙ୍ଗ ଘୋଷଣା କଲେକି ଖୋଲାରେ ବିକିବେ ନାହିଁ ତେଲ । ତେବେ ଦେଖନ୍ତୁ ରାୟଗଡା ସହରର ଦୃଶ୍ୟ । ବାଇକ ଆରୋହୀ ମାନେ ଲମ୍ବା ଧାଡିରେ ଠିଆ ହୋଇଛନ୍ତି । ଦୁଇ ଚକିଆ ଯାନକୁ ପେଟ୍ରୋଲ ମିଳୁଛି । ହେଲେ ବୋତଲ କିମ୍ବା କ୍ୟାନରେ ତେଲ ଦେବାକୁ ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ସଫା ସଫା ମନା କରୁଛନ୍ତି । ସହରର ଏକାଧିକ ପେଟ୍ରୋଲ ପମ୍ପରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ରାୟଗଡା ପୌରପରିଷଦର ପାଞ୍ଚ ଜଣିଆ ଟିମ ବିଭିନ୍ନ ପେଟ୍ରୋଲ ପମ୍ପ ବୁଲି ଲୋକଙ୍କୁ ସଚେତନ କରିବା ସହ ଖୋଲାରେ ପେଟ୍ରୋଲ ଓ ଡିଜେଲ ନଦେବା ପାଇଁ ତାଗିଦ କରୁଛନ୍ତି । ଫଳରେ ଆଜି ରାୟଗଡା ସହରରେ ଆଉ ତେଲ ଖୋଲାରେ ମିଳୁନଥିବା ଦେଖିବାକୁ ମିଳିଛି । ଯାହାଫଳରେ ଗ୍ରାହକ ମାନେ ମଧ୍ୟ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଗତକାଲି କାଚ ବୋତଲ ଓ ଟିଣ ଜାରରେ ପଟ୍ରୋଲ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲେ ବି ପେଟ୍ରୋଲ ପମ୍ପ ମାଲିକ କି କର୍ମଚାରୀ ମାନୁନଥିବା ଅଭିଯୋଗ ହୋଇଛି ।
ରାୟଗଡା ଜିଲ୍ଲାରେ 49 ଗୋଟି ପେଟ୍ରୋଲ ପମ୍ପ ରହିଥିବା ବେଳେ ଆଜି ଅଧିକାଂଶ ପେଟ୍ରୋଲ ପମ୍ପରୁ ଖୋଲାରେ ତେଲ ମିଳୁନଥିବା ଦେଖିବାକୁ ମିଳୁଛି । ଗାଁ ରୁ 20/30 କିଲୋମିଟର ବ୍ୟବଧାନରେ ପେଟ୍ରୋଲ ପମ୍ପ ଗୁଡିକ ରହିଥିବା ବେଳେ ଲୋକେ କେମିତି ତେଲ ପାଇବେ ତାକୁନେଇ ଚିନ୍ତାରେ ପଡିଛନ୍ତି । ଅନ୍ୟ ପଟେ ପ୍ରଶାସନର ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉଛି ବୋଲି ପେଟ୍ରୋଲ ପମ୍ପ କର୍ମଚାରୀ ମାନେ କହିଛନ୍ତି ।