ଆସିବ କରୋନା ଭାଇରସ ଓ ଇନଫ୍ଳୁଏଞ୍ଜାର ମିଳିତ ଟିକା

1 min read

ନୂଆଦିଲ୍ଲୀ: ଟିକା ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ । ଖୁବ୍ ଶୀଘ୍ର ଆସିପାରେ କରୋନା ଭାଇରସ ଓ ଇନଫ୍ଳୁଏଞ୍ଜାର ମିଳିତ ଟିକା । ଏନେଇ ଘୋଷଣା କରିଛି ଫାଇଜର-ବାୟୋଏନଟେକ ଫାର୍ମ ।

ଯଦି ଏହି ଟିକା ଆସିବ ତେବେ ଉଭୟ ରୋଗର ଶିକାର ହେଉଥିବା ରୋଗୀମାନଙ୍କ ଲାଗି ଏହା ମହୋଷଧି ସାବ୍ୟସ୍ତ ହେବ । ଆମେରିକାରେ ୧୮୦ ସ୍ବେଚ୍ଛାସେବୀଙ୍କ କ୍ଷେତ୍ରରେ ଏମ-ଆରଏନଏ ଭିତ୍ତିକ ମିଳିତ ଟିକାର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ କରାଯାଉଛି ।

ଯଦି ଏହା ସଫଳ ହେବ ତେବେ ଖୁବ୍ ଶୀଘ୍ର ଟିକା ଉପଲବ୍ଧ ହେବ। ଫାଇଜର ଭାକସିନ ରିସର୍ଚ୍ଚ ଆଣ୍ଡ ଡେଭଲେପମେଣ୍ଟ ମୁଖ୍ୟ ଆନାଲିସି ଆଣ୍ଡରସନ କହିଛନ୍ତି, ନିଶ୍ବାସ ପ୍ରଶ୍ବାସ ଜନିତ କୋଭିଡ ଓ ଇନଫ୍ଳୁଏଞ୍ଜାର ମିଳିତ ମୁକାବିଲା ଲାଗି ଏହି ଟିକା ସଫଳ ହେବା ଆଶା କରାଯାଉଛି ।

ପ୍ରତିବର୍ଷ କେବଳ ଭାରତ ନୁହେଁ ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ଇନଫ୍ଲୁଏଞ୍ଜା ପ୍ରମୁଖ ବିପଦର କାରଣ ହୋଇଥାଏ ଏବଂ ହଜାର ହଜାର ଲୋକ ହସ୍ପିଟାଲରେ ଭର୍ତ୍ତି ହେବା ସହ ମୃତ୍ୟୁର ଶିକାର ହୋଇଥାନ୍ତି ।

ପ୍ରବଳ ଜ୍ବର, ଝାଳ ପ୍ରବାହ, କମ୍ପିବା, କଫ, ନିଶ୍ବାସ ପ୍ରଶାସରେ କଷ୍ଟ, ମୁଣ୍ଡବ୍ୟଥା ଆଦି କାରଣ ଇନଫ୍ଳୁଏଞ୍ଜାର ଲକ୍ଷଣ ହୋଇଥାଏ ।  ଉଭୟ ଫାଇଜର ଓ ଜର୍ମାନ ଫାର୍ମ ବାୟୋଏନଟେକ ପକ୍ଷରୁ ପ୍ରସ୍ତୁତ ଟିକା କୋଭିଡ ମୁକାବିଲାରେ ସଫଳ ହୋଇଥିବା ବେଳେ କୋଭିଡ ଓ ଇନଫ୍ଳୁଏଞ୍ଜାର ମିଳିତ ମୁକାବିଲା ଦିଗରେ ବି କମ୍ପାନି ସଫଳ ହେବେ ବୋଲି ଆଶା ରଖାଯାଇଛି ।

ସେହିପରି କୋଭିଡ ଓ ଇନଫ୍ଳୁଏଞ୍ଜାର ମୁକାବିଲା ଲାଗି ମଡର୍ଣ୍ଣା ଓ ନୋଭାଭାକ୍ସ ବି ଅଭିଯାନ ରଖିଥିବା ସୂଚନା ମିଳିଛି ।