ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୯ ତୁଳନାରେ ଭୋଟ୍ କେମିତି ହୋଇଛି ?

1 min read

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ମତଦାନ ପ୍ରଥମ ପର୍ଯ୍ୟାୟ ଭୋଟିଂ ସହ ସମାନ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମୋଟ୍ ୬୧ ପ୍ରତିଶତ ମତଦାନ ହୋଇଥିଲା।

ଯେଉଁଥିରେ ତ୍ରିପୁରାରେ ସର୍ବାଧିକ ଭୋଟ୍ ପ୍ରତିଶତ ୮୦.୩୨ ପ୍ରତିଶତ ଭୋଟିଂ ହୋଇଥିଲା। ଯେତେବେଳେ କି ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୪ ପ୍ରତିଶତ ମତଦାନ ହୋଇଥିଲା। ୨୦୧୯ ତୁଳନାରେ, ୨୦୨୪ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ପ୍ରତିଶତ କମ୍ ରହିଥିଲା । ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ରାଜ୍ୟରେ ଭୋଟିଂ କମ୍ ହୋଇଥିବା ଆକଳନ ହୋଇଛି ।

୨୦୧୯ ମସିହାରେ ୬୭ ପ୍ରତିଶତ ମତଦାନ ହୋଇଥିଲା | ଗତ ଲୋକସଭା ନିର୍ବାଚନରେ ​​ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୯୫ଟି ଲୋକସଭା ଆସନରେ ମତଦାନ ହୋଇଥିଲା। ଏଭଳି ଭାବରେ ୧୯୦ ଲୋକସଭା ଆସନରେ ଭୋଟିଂ ସରିଛି । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ୍ ଗ୍ରହଣ କରାଯାଇଥିଲା। ଅପରପକ୍ଷେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ମେ ୭ରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ କରାଯିବ।

 ଦ୍ୱିତୀୟ ପର୍ଯ୍ୟାୟରେ କେଉଁ ରାଜ୍ୟଗୁଡ଼ିକର କେତେ ଆସନରେ ମତଦାନ?

କେରଳର ସମସ୍ତ ୨୦ଟି ସିଟ୍, କର୍ଣ୍ଣାଟକର ୨୮ ସିଟ୍ ମଧ୍ୟରୁ ୧୪ ସିଟ୍, ରାଜସ୍ଥାନର ୧୩ ସିଟ୍, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ୮-୮ ସିଟ୍, ମଧ୍ୟପ୍ରଦେଶରେ ୬ ସିଟ୍, ଆସାମ ଏବଂ ବିହାରରେ ୫-୫ ସିଟ୍, ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ୩-୩ଟି ସିଟ୍, ମଣିପୁର, ତ୍ରିପୁରା ଏବଂ ଜାମ୍ମୁ କାଶ୍ମୀରର ୧-୧ ଆସନରେ ଶୁକ୍ରବାର ଦିନ ମତଦାନ ଅନୁଷ୍ଠିତ ହୋଇଥିଲା।