ହିଞ୍ଜିଳିରେ ପିକଅପ୍ ଗାଡି ଓଲଟି ୨ ମୃତ, ୧୧ ଆହତ

ହିଞ୍ଜିଳି : ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଦୁର୍ଘଟଣା। ମ୍ୟାକ୍ସ ପିକଅପ୍ ଗାଡି ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୧ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ଭୋରରୁ ୨୨ ଜଣ ଦଣ୍ଡୁଆ ବ୍ରହ୍ମପୁରରୁ କ୍ଷେତ୍ରୀ ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଆହତଙ୍କୁ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୬ ଜଣ ଦଣ୍ଡୁଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ନାଁ ସନିଆ ନାୟକ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।