ପିପିଲି ଉପ-ନିର୍ବାଚନ: ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ପିପିଲି: ନିର୍ବାଚନ ନେଇ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ପୁରୀ ଜିଲ୍ଲା ପାଇଁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଏ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପଟେ ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ । ବୈଠକରେ ନିର୍ବାଚନ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ। ନିର୍ବାଚନ ପ୍ରଚାରରେ କୌଣସି ବାଇକ୍ କିମ୍ବା ସାଇକେଲ ଶୋଭାଯାତ୍ରା ହେବ ନାହିଁ । ଦଳୀୟ ପ୍ରଚାର ସଭାରେ ସର୍ବାଧିକ ୨୦୦ ଲୋକ କିମ୍ବା ବସିବା କ୍ଷମତାର ୩୦ ପ୍ରତିଶତ ଲୋକ ସାମିଲ ହୋଇପାରିବେ। ଷ୍ଟାର ପ୍ରଚାରକଙ୍କ ସହ ଏକ ହଜାର ଲୋକ କିମ୍ବା ବସିବା କ୍ଷମତାର ସର୍ବାଧିକ ପଚାଶ ପ୍ରତିଶତ ଲୋକ ଯୋଗ ଦେଇପାରିବେ। ଜାତୀୟ ଦଳ ପାଇଁ ଷ୍ଟାର ପ୍ରଚାରକ ୨୦ଜଣ ଓ ଅଣ ପଞ୍ଜିକୃତ ଦଳ ପାଇଁ ୧୦ ଜଣ ରହି ପାରିବେ। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ପାଇଁ ଜାରି ହୋଇଛି ଟୋଲ୍ ଫ୍ରି ନମ୍ବର । ୧୯୫୦କୁ ଫୋନ କରି ଅଭିଯୋଗ କରିହେବ । ପିପିଲି ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ଥିବା ବେଳେ ୨ଲକ୍ଷ ୨୯ ହଜାର ୯୯୮ଭୋଟର ମତଦାନ କରିବେ । ଏଥିପାଇଁ ୩୪୮ଟି ବୁଥ ଓ ୧୫ଟି ମଡେଲ ବୁଥ କରାଯାଉଛି । ପିପିଲି ନିର୍ବାଚନମଣ୍ଡଳୀରେ ମୋଟ ୧୦୨ଟି ଅତି ସମ୍ବେଦନଶୀଳ ବୁଥ ଥିବା ବେଳେ ୭୩ଟି ସମ୍ବେଦନଶୀଳ ବୁଥ ରହିଛି ।

ଏଥିସହିତ ପଢ଼ନ୍ତୁ: ରେଡ୍ ଜୋନ୍‌କୁ ଫେରିଲା ଖୋର୍ଦ୍ଧା: ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

Leave a Reply