ସନ୍ଦେହର ଦୋଛକିରେ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା

ନନ୍ଦିଘୋଷ ବ୍ୟୁରୋ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାକୁ ପୂରିଲାଣି ୯୨ ଘଣ୍ଟା । ହେଲେ ପୋଲିସ ହାତରେ ଧରା ପଡିନାହାନ୍ତି ଅପରାଧୀ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଆଗକୁ ବଢିଛି । ପ୍ରାୟ ୫୦ ଜଣଙ୍କୁ ପଚରାଉଚରା କରାଯାଇଥିବା ବେଳେ ୭ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ‘ସିଡିଆର’ ଓ ‘ସିସିଟିଭି’ ଫୁଟେଜ ଆଧାରରେ ବି ତଦନ୍ତ ଜାରି ରହିଛି । ଯାଞ୍ଚ ବେଳେ ପୋଲିସ ସନ୍ଦେହରେ ଥିବା କିଛି ଗାଡ଼ିକୁ ଚିହ୍ନଟ କରାଯାଇଛି । ଏବେ ପୋଲିସ ହାତରେ ଲାଗିଛି ପୀତବାସଙ୍କ ମୋବାଇଲ କଲ ଡିଟେଲ୍ସ ଓ ବ୍ୟବଚ୍ଛେଦ ରିପୋର୍ଟ ।
ସନ୍ଦେହର ଦୋଛକିରେ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଘଟଣାକୁ ୫ ଦିନ ବିତିଥିଲେ ବି ପୋଲିସ ହାତରେ ଲାଗିନି ଠୋସ ସୁରାକ । ଏବେ ବି ଅନ୍ଧାରରେ ବାଡ଼ି ବୁଲାଉଛି ତଦନ୍ତକାରୀ ଦଳ । ପ୍ରାୟ ୫୦ ଜଣଙ୍କୁ ପଚରାଉଚରା, ୭ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ସିଆଇଏଏଫ୍ ଯବାନ ଓ ଜଣେ ଅଷ୍ଟମ ବାଟାଲିୟନର ଜଣେ ଯବାନ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଆମ୍ବପୁଆରେ ଥିବା ରିଜର୍ଭ ପୋଲିସ ବାରାକରେ ଜେରା କରାଯାଉଥିବା ସୂଚନା ମିଳିଛି । ଅଟକ ଥିବା ଯୁବକମାନେ ଦିଗପହଣ୍ଡି, ହିଞ୍ଜିଳି ଓ ପିତଳ ଅଞ୍ଚଳର। ଶୀଘ୍ର ଅପରାଧୀଙ୍କୁ ଧରାଯିବ କହିଛନ୍ତି ଏସପି ସରବଣା ବିବେକ. ଏମ । କିଏ, କ’ଣ ପାଇଁ, କେତେବେଳେ ଆସିଥିଲେ ତାହାର ତଦନ୍ତ କରାଯାଉଛି । ୬ଟି ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଛାନବିନ କରୁଛି । ଘଟଣା ଦିନ ଅର୍ଥାତ କୁମାର ପୂର୍ଣ୍ଣିମା ରାତିରେ ପୀତବାସ ନିଜ କାମ ସାରି ନୂଆ ବସଷ୍ଟାଣ୍ଡ ସ୍ଥିତ ଏକ ହୋଟେଲକୁ ଖାଇବା ସାମଗ୍ରୀ ଆଣିବାକୁ ଯାଇଥିଲେ । ପୀତବାସ ହୋଟେଲରୁ ଖାଇବା ନେଇ ଘରକୁ ଯିବା ବେଳେ ଦୁଇଜଣ ହେଲମେଟଧାରୀ ସୁପାରି କିଲର୍ ପୀତବାସଙ୍କୁ ଗନ ପଏଣ୍ଟରୁ ଗୁଳି କରି ହତ୍ୟା କରିଥିଲେ । ପୋଲିସ ହାତରେ ଲାଗିଛି ‘ସିଡିଆର’ ଓ ‘ସିସିଟିଭି’ ଫୁଟେଜ୍ । ଏହା ହିଁ ପୋଲିସକୁ ସୁରାକ ଦେଇଥିବା କହିଛନ୍ତି ଏସପି । ହେଲେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ଏସପି ।
ସହରର ଅନ୍ୟତମ ପ୍ରବେଶପଥ ଫାଷ୍ଟ ଗେଟଠାରୁ ଆରମ୍ଭ କରି ବଡ଼ବଜାର ଥାନା, ବିଜୁ ପଟ୍ଟନାୟକ ପାର୍କ, ମାର୍କେଟର ମଧ୍ୟ ଭାଗରେ ଥିବା ପୀତବାସଙ୍କ ଚାମ୍ବର, ଗେଟବଜାର, ଲୋଚାପୋଡା ରୋଡ଼ ସମେତ ସହରର ୬୦ରୁ ଅଧିକ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ଯାଞ୍ଚ ବେଳେ ପୋଲିସ ସନ୍ଦେହରେ ଥିବା କିଛି ଗାଡ଼ିକୁ ଚିହ୍ନଟ କରାଯାଇଛି । ପୋଲିସ ହାତରେ ଲାଗିଛି ପୀତବାସଙ୍କ ମୋବାଇଲ କଲ ଡିଟେଲ୍ସ । କିଏ, କେତେବେଳେ, କେତେ ସମୟ କଥା ହୋଇଥିଲେ ତାହାର ବିସ୍ତୃତ ତଥ୍ୟ ପୋଲିସ ହାତରେ ଲାଗିଛି ।
ତଦନ୍ତର ମନ୍ଥର ଗତି ମଧ୍ୟରେ ପୀତବାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ରିପୋର୍ଟରେ କ’ଣ ଉଲ୍ଲେଖ ରହିଛି ତାହା ଗୁପ୍ତ ରଖା ଯାଇଛି । କେଉଁ ପିସ୍ତଲରୁ ଗୁଳି କରାଯାଇଛି ସେନେଇ ବାଲାଷ୍ଟିକ ରିପୋର୍ଟକୁ ଅପେକ୍ଷା କରାଯାଇଛି । ପ୍ରଚୁର ରକ୍ତ ସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ପୀତବାସଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଏମକେସିଜି ଏଫଏମଟି ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରଫେସର ସୁଦୀପା ଦାସ ।
ବରିଷ୍ଠ ଆଇନଜୀବୀଙ୍କୁ ଗନ ପଏଣ୍ଟରେ ହତ୍ୟା ମାମଲାରେ କେଉଁ ମାନେ ସମ୍ପୃକ୍ତ ? ହତ୍ୟା ପଛରେ କାହାର ଆହତ ରହିଛି କି ? ଘଟଣା ପଛର ପକୃତ କାରଣ କ’ଣ ? ରାଜନୈତିକ ନା ବ୍ୟବସାୟୀକ ଶତ୍ରୁତା ? ଘଟଣା ପଛରେ ଏଭଳି ମାଳ ମାଳ ପ୍ରଶ୍ନ ଛିଡା ହୋଇଥିବା ବେଳେ ପୋଲିସର କେବେ ରହସ୍ୟ ଉନ୍ମୋଚନ କରିବ ତା’ଉପରେ ସମସ୍ତଙ୍କ ନଜର ।