ବଜାରରେ ପ୍ଲାଷ୍ଟିକ ଅଣ୍ଡା; ସିଝିଲାନି କିନ୍ତୁ ପୋଡିଗଲା

ନବରଙ୍ଗପୁର: ଅଣ୍ଡା ଏକ ପୃଷ୍ଟିକର ଖାଦ୍ୟ । ତେଣୁ ସମସ୍ତେ ଚାହାନ୍ତି ସ୍ବାସ୍ଥ୍ୟର ଯତ୍ନ ପାଇଁ ଏବଂ ଶକ୍ତି ବଢାଇବା ପାଇଁ ଅଣ୍ଡା ନିତାନ୍ତ ଆବଶ୍ୟକ । ସେଥିପାଇଁ ପ୍ରତିଟି ପିତାମାତା ମଧ୍ୟ ପିଲାଙ୍କ ସ୍ବାସ୍ଥ୍ୟର ଯତ୍ନ ପାଇଁ ଅଣ୍ଡା ଦେଇଥାନ୍ତି । କିନ୍ତୁ ଅଣ୍ଡା କିଣିବା ପୂର୍ବରୁ ସତର୍କ ହେବା ନିହାତି ଜରୁରୀ । ଏବଂ କିଣିବା ବେଳେ ତାର ମାନ ପରୀକ୍ଷା କରି ମଧ୍ୟ କିଣିବା ଆବଶ୍ୟକ ରହିଛି। କାରଣ ଏବେ ବଜାରରେ ଅସଲି ନୁହେଁ ମିଳୁଛି ନକଲି ଅଣ୍ଡା ।

ନବରଙ୍ଗପୁର ସହରରେ ଦେଖିବାକୁ ମିଳିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା । ବଜାରରେ ମିଳୁଛି ଅବିକଳ ଅଣ୍ଡା ଭଳି ନକଲି ଅଣ୍ଡା । ସୂଚନା ଅନୁଯାୟୀ ସଂଗୀତା ସୁନା ନାମକ ଜଣେ ମହିଳା ନିକଟସ୍ଥ ଦୋକାନରୁ ୫ ଟି ଅଣ୍ଡା ଆଣି ତାକୁ ରୋଷେଇ କରିବା ପାଇଁ ପାଣିରେ ସିଝାଇ ଥିଲେ । ଅଣ୍ଡା ସିଝିବା ସମୟ ଅତିକ୍ରାନ୍ତ ପରେ ସେଥିମଧ୍ୟରୁ ୪ ଟି ଅଣ୍ଡା ପାଣିରେ ବୁଡି ରହିଥିବା ବେଳେ ଗୋଟିଏ ଭାସୁଥିବାର ଦେଖିବାକୁ ପାଇଥିଲେ । ସବୁ ଅଣ୍ଡାର ଚୋପା ଛଡ଼ାଇବା ବେଳେ ସେଥିରୁ ଗୋଟିଏ ଅଣ୍ଡା ପ୍ଲାଷ୍ଟିକ ବଲ ଆକୃତି ର ଦେଖାଯାଇଥିଲା ଓ ଅନ୍ୟ ଅଣ୍ଡା ପରି ଚୋପା ଛାଡ଼ି ନଥିଲା । ଅଣ୍ଡା ଭିତରେ ଥିବା କେଶର ମଧ୍ୟ ଭିନ୍ନ ଧରଣର ଥିଲା ଯାହାକି କିଛି ବେଶନ ଗୁଣ୍ଡ ଭଳି ପାଣିରେ ମିଲେଇ ଯାଇଥିଲା ।

ଏହାପରେ ପରିବାର ଲୋକଙ୍କୁ ସେହ ଅଣ୍ଡା ପ୍ଲାଷ୍ଟିକ ଅଣ୍ଡା ଭାବି ତାକୁ ନିଆଁରେ ପୋଡିଥିଲେ । ସେହି ଅଣ୍ଡାର ଖଣ୍ଡ ଗୁଡିକ ପ୍ଲାଷ୍ଟିକ ଭଳି ପୋଡିବା ସହିତ ପ୍ଲାଷ୍ଟିକ ଦୁର୍ଗନ୍ଧ ବାହାରିଥିଲା । ପୂର୍ବରୁ ଅଣ୍ଡା କିଣି ଆଣିବା ପରେ ତାକୁ ଅମଲେଟ କରି ପିଲାଙ୍କୁ ଖାଇବାକୁ ଦେବାକୁ ନିଷ୍ପତ୍ତି ନେଇଥିଲେ, ଯଦି ଛୁଆ ମାନେ ଏହାକୁ ଖାଇଥାନ୍ତେ ତେବେ ସେମାନଙ୍କ ଅବସ୍ଥା କଣ ହୋଇଥାନ୍ତା ସେନେଇ ଚିନ୍ତାରେ ପଡିଯାଇଛନ୍ତି ପରିବାର । ପୂର୍ବରୁ ହୁଏତ ଅନେକ ଲୋକ ଭୁଲ ବଶତଃ ଏଭଳି ଅଣ୍ଡା ଖାଇଥାଇପାରନ୍ତି । ତେବେ ସମ୍ପୃକ୍ତ ଦୋକାନୀଙ୍କୁ ଏ ବିଷୟରେ ପଚାରିବାରୁ ସେ ସୁନୀଲ ନାମକ ଜଣେ ହୋଲସେଲ ଅଣ୍ଡା ବ୍ୟବସାୟୀ ନିକଟରୁ ଅଣ୍ଡା ଆଣି ବିକ୍ରି କରୁଥିବା କହିଛନ୍ତି ।

ତେବେ ଏ ସମ୍ପର୍କରେ ଆମେ ସମ୍ପୃକ୍ତ ହୋଲସେଲ ଅଣ୍ଡା ବ୍ୟବସାୟୀ ଙ୍କୁ ଯୋଗାଯୋଗ କରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ବଜାରରେ ଏଭଳି ନକଲି ଅଣ୍ଡା ବିକ୍ରି ଆରମ୍ଭ ହୋଇସାରିଥିବା ବେଳେ ପ୍ରଶାସନ ଏଥିପ୍ରତି ତନ୍ତ୍ର ଦୃଷ୍ଟି ଦେଇ ସମସ୍ତ ଅଣ୍ଡା ବ୍ୟବସାୟୀ ମାନଙ୍କ ଉପରେ ଚଢ଼ାଉ କରି ଅଣ୍ଡାର ଯାଞ୍ଚ କରିବାକୁ ସାଧାରଣରେ ଦାବି ହୋଇଛି । ନବରଙ୍ଗପୁର ବଜାରରେ ଏଭଳି ନକଲି ସାମଗ୍ରୀ ର ରାଜୁତି ଚାଲିଥିବା ବେଳେ ଖାଦ୍ୟ ପଦାର୍ଥ ଭଳି ଏକ ସମ୍ବେଦନଶୀଳ ପଦାର୍ଥ ଉପରେ ଚଢ଼ାଉ କାରନଯାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି ।

Leave a Reply