ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ

ଭୁବନେଶ୍ବର: ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ । ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା ଖାତା ମୂଲ୍ୟାୟନ । ପ୍ରଥମ ପର୍ଯ୍ୟାୟରେ ଆଜିଠୁ ୧୨ ତାରିଖ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜୁନ ୧୩ରୁ ୨୨ ତାରିଖ ଯାଏ ଖାତା ଦେଖା ହେବ ।

୬୪ଟି କେନ୍ଦ୍ରରେ ଅଫଲାଇନ ଓ ୩୭ଟିରେ ଅନଲାଇନରେ ଖାତା ଦେଖା ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବିଷୟଗୁଡ଼ିକର ମୂଲ୍ୟାୟନ ପ୍ରଥମେ ଆରମ୍ଭ କରାଯିବ। ସମସ୍ତ ବିଷୟଗୁଡ଼ିକର ମୂଲ୍ୟାୟନ ଲାଗି ୨୪ରୁ ୨୬ଦିନ ଲାଗିବ ।

ସେପଟେ ମୂଲ୍ୟାୟନରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇଛି  । ଜୁନ ୪ତାରିଖରେ ଗଣିତ ଓ ଗୃହ ବିଜ୍ଞାନ ବିଷୟର ପରୀକ୍ଷା ରହିଛି  । ଏଥିରେ ପରୀକ୍ଷା କେନ୍ଦ୍ର ସୁପରିନଟେଣ୍ଡେଟଙ୍କ ସହିତ ଇନଭିଜିଲେଟର ଓ ସ୍କ୍ବାଡ ନିୟୋଜିତ ହେବେ  । ତାହାକୁ ନଜରରେ ରଖି ସେହିଦିନ ମୂଲ୍ୟାୟନ ବନ୍ଦ ରହିବ । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପରୀକ୍ଷାକୁ ଘୁଞ୍ଚାଯାଇଥିଲା  । ଖାତା ଦେଖା ପରେ ଜୁଲାଇ ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି ।