ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରହିଛି, ବନ୍ଦ ହୋଇନି: ପ୍ରଧାନମନ୍ତ୍ରୀ
1 min read
ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସମ୍ବୋଧନ । କହିଲେ- ରକ୍ତ ଓ ପାଣି ଏକାଠି ବୋହି ପାରିବେନି । ଟେରର ଓ ଟକ୍, ଟେରର ଓ ଟ୍ରେଡ ଏକାଠି ଚାଲି ପାରିବନି । ପରମାଣୁ ବ୍ଲାକମେଲକୁ ଭାରତ ଡରିବନି । ପାକିସ୍ତାନ ବିରୋଧରେ ଭାରତ ଏବେ ଏବେ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିଛି, ବନ୍ଦ ହୋଇନି । ନସୁଧୁରିଲେ ଚରମ ପରିଣାମ ଭୋଗିବ ବୋଲି କହି ସିଧାସଳଖ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ସେନାର ପରାକ୍ରମକୁ ଦେଶବାଶୀଙ୍କୁ ସମର୍ପିତ
ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦି କଡ଼ା ଜବାବ ଦେଇ କହିଛନ୍ତି । ସେନାର ପରାକ୍ରମକୁ ଦେଶବାଶୀଙ୍କୁ ସମର୍ପିତ କରିବା ସହ ସେନା ଓ ସୁରକ୍ଷାକର୍ମୀଙ୍କୁ ସାବାସୀ ଦେଇଛନ୍ତି । କହିଛନ୍ତି, ପାକିସ୍ତାନ ବିରୋଧରେ ଆମ ସେନା ଲକ୍ଷ୍ୟ ହାସଲ କରିଛି । ଅପରେସନ ସିନ୍ଦୂର କୋଟି କୋଟି ଭାରତୀୟଙ୍କ ପ୍ରତିବିମ୍ବ । ମେ’ ୭ରେ ପୂରା ବିଶ୍ବ ଦେଖିଲା ଭାରତୀୟ ସେନାର ପ୍ରତିଜ୍ଞାର ପରିଣାମ । ୨୨ ଏପ୍ରିଲରେ ପହଲଗାଓଁରେ ଆତଙ୍କବାଦୀମାନେ ଯେଉଁ ବର୍ବରତା ଦେଖାଇଥିଲେ ତାହା ଦେଶ ଏବଂ ବିଶ୍ୱକୁ ଚକିତ କରିଦେଇଥିଲା । ଏହା ମଧ୍ୟ ଦେଶର ସଦଭାବନାକୁ ଭାଙ୍ଗିବା ପାଇଁ ଏକ ଘୃଣ୍ୟ ପ୍ରୟାସ ଥିଲା । ଆତଙ୍କବାଦୀ ଆକ୍ରମଣ ପରେ, ସମଗ୍ର ଦେଶ, ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ସମାଜ, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ରାଜନୈତିକ ଦଳ, ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସ୍ୱରରେ ଛିଡ଼ା ହୋଇଥିଲେ । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନାକୁ ସ୍ୱାଧୀନତା ମିଳିଥିଲା । ଆଜି ପ୍ରତ୍ୟେକ ଆତଙ୍କବାଦୀ, ପ୍ରତ୍ୟେକ ଆତଙ୍କବାଦୀ ସଂଗଠନ ଜାଣ ସାରିଛନ୍ତି ଆମର ଭଉଣୀ ଓ ଝିଅଙ୍କ କପାଳରୁ ସିନ୍ଦୂର ଲିଭାଇଲେ ପରିଣାମ କ’ଣ ହୋଇପାରେ ।
ଆଲୋଚନା ହେବ ତ ଆତଙ୍କବାଦ ଉପରେ ହେବ
ପ୍ରଧାନମନ୍ତ୍ରୀ କହିଛନ୍ତି, ପାକିସ୍ତାନ ସହ ଆଲୋଚନା ହେବ ତ ଆତଙ୍କବାଦ ଉପରେ ହେବ । ପାକିସ୍ତାନ ସହ ଆଲୋଚନା ହେବ ତ ପିଓକେ ଉପରେ ହେବ । ଭାରତର ନୀତି ସ୍ପଷ୍ଟ । ଟେରର ଓ ଟକ୍, ଟେରର ଓ ଟ୍ରେଡ ଏକା ସଙ୍ଗେ ହୋଇ ପାରିବନି । ପାଣି ଓ ରକ୍ତି ଏକା ସଙ୍ଗରେ ବୋହି ପାରିବନି ।
କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରହିଛି, ବନ୍ଦ ହୋଇନି
ଅପରେସନ ସିନ୍ଦୂର ସ୍ଥଗିତ ରହିଛି, ବନ୍ଦ ହୋଇନି । ଆଗାମୀ ଦିନରେ ପାକିସ୍ତାନ କ’ଣ କରୁଛି ତାହା ଉପରେ ନଜର ରଖିଛୁ । ତିନି ସେନା, ବିଏସଏଫ, ଅର୍ଦ୍ଧ ସାମରିକ ବାହିନୀ ଆଲର୍ଟରେ ଅଛନ୍ତି । ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହେଲେ ମୁହଁତୋଡ଼ ଜବାବ ମିଳିବ । ଆମେ ଆମ ହିସାବରେ ଜବାବ ଦେବୁ । ସେ ସବୁ ସ୍ଥାନକୁ ଯାଇ ଆତଙ୍କବାଦୀଙ୍କୁ ନିପାତ କରିବ ଯେଉଁଠି ସେମାନେ ଲୁଚିବେ । ଆତଙ୍କବାଦୀଙ୍କୁ ସମର୍ଥନ ଦେଉଥିବା ସରକାର ଓ ସେମାନଙ୍କ ଆକ୍କାକୁ ଆମ ପାଇଁ ସମାନ । କାହାରିଙ୍କୁ ଛାଡ଼ିବନି ଭାରତ । ସମସ୍ତଙ୍କୁ ମୁହଁତୋଡ଼ ଜବାବ ମଳିବ ।
ନ୍ୟୁକ୍ଲିୟର ବ୍ଲାକମେଲିଂ ଚଳିବନି
ପରମାଣୁ ବୋମାକୁ ନେଇ ମଧ୍ୟ ପାକିସ୍ତାନକୁ ଚେତାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଭାରତକୁ ନ୍ୟୁକ୍ଲିୟର ବ୍ଲାକମେଲିଂ ଚଳିବ ନାହିଁ । ଭାରତ ନ୍ୟୁକ୍ଲିୟର ବ୍ଲାକମେଲିଂ ସହିବନି । ସଠିକ ନିର୍ଣ୍ଣୟ ନେବୁ, ନିର୍ଣ୍ଣାୟକ ଆକ୍ରମଣ କରିବୁ ।
ଏ ଯୁଗ ଯୁଦ୍ଧର ନୁହେଁ
ଆଗକୁ ସେ କହିଛନ୍ତି, ଆମ ଏକତା ଆମ ଶକ୍ତି । ଆତଙ୍କବାଦ ବିରୋଧରେ ସାରା ଦେଶ ଏକ । ଏ ଯୁଗ ଯୁଦ୍ଧର ନୁହେଁ । ଏ ଯୁଗ ଆତଙ୍କବାଦର ବି ନୁହେଁ । ଆତଙ୍କବାଦ ବିରୋଧରେ ଆମ ନୀତି ସ୍ପଷ୍ଟ । ଆମେ ଆତଙ୍କବାଦ ବିରୋଧରେ ଜିରୋ ଟଲରେନ୍ସ ନୀତି ନେଇ ଚାଲୁଥିଲୁ ଓ ଆଗକୁ ଚାଲିବୁ ।
ଭଷ୍ମ ହୋଇଯିବ ପାକିସ୍ତାନ
ଏହାସହ ପାକିସ୍ତାନକୁ ଆତଙ୍କବାଦ ନେଇ ଚେତାଇବାକୁ ବି ଭୁଲି ନାହାନ୍ତି ପ୍ରଧାନମନ୍ତ୍ରୀ । ପାକିସ୍ତାନ ଉଦ୍ଦେଶ୍ୟରେ କହିଛନ୍ତି, ଆତଙ୍କବାଦକୁ ସମର୍ଥନ ଦେବା ବନ୍ଦ କର । ଆତଙ୍କବାଦକୁ ଯେମିତି ସମର୍ଥନ ପାକିସ୍ତାନ ପାଇଁ ଠିକ ନୁହେଁ । ସେହି ଆତଙ୍କବାଦୀ ପାକିସ୍ତାନକୁ ଶେଷ କରିଦେବେ । ବଞ୍ଚିବାକୁ ଚାହୁଁଥିଲେ, ନିଜ ମାଟିରୁ ଆତଙ୍କବାଦକୁ ଶେଷ କର । ଆତଙ୍କବାଦ ଶେଷ ନହେଲେ ପାକିସ୍ତାନରେ ଶାନ୍ତି ଫେରିବା ଅସମ୍ଭବ ।