ପୁଣି ଡରାଇଲାଣି କରୋନା,ପ୍ରଧାନମନ୍ତ୍ରୀ କଲେ ସମୀକ୍ଷା ବୈଠକ

1 min read

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରି ଦେଶକୁ ଡରାଇବାରେ ଲାଗିଛି । ଗୋଟିଏ ଦିନରେ ୯୩ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ଛ’ ମାସ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂକ୍ରମଣ । ଦେଶର ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ୫ଟି ରାଜ୍ୟରୁ ଆସୁଛନ୍ତି । ଅନ୍ୟପକ୍ଷରେ ଏହି ୫ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ କରୋନା ଆକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ରବିବାର ଦିନ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ,କ୍ୟାବିନେଟ୍ ସଚିବ ଓ ଡ. ବିନୋଦ ପାଲ ସାମିଲ ହୋଇଥିଲେ ।

ମିଳୁଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ କରୋନା ସଂକ୍ରମଣ ପ୍ରସଙ୍ଗ ଉପରେ ଚର୍ଚ୍ଚା କରୁଛନ୍ତି । ବେକାବୁ ହେଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଯେ, ଭାରତରେ ରବିବାର ଦିନ କରୋନା ସଂକ୍ରମଣର ୯୩ ହଜାର ୨୪୯ ମାମଲା ସାମ୍ନାକୁ ଆସିଛି । ୨୦୨୧ରେ ଏହା ହେଉଛି କୋଭିଡ-୧୯ ସଂକ୍ରମଣର ସବୁଠୁ ବଡ ସଂଖ୍ୟା । ଏହାସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨୪ ଲକ୍ଷ ୮୫ ହଜାର ୫୦୯ ହୋଇଛି ।

Leave a Reply