ପହଲଗାମ ପୀଡିତ ଶୁଭମ ଦ୍ୱିବେଦୀଙ୍କ ପରିବାରକୁ ଭେଟିଲେ ମୋଦୀ

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶୁଭମ ଦ୍ବିବେଦୀଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ମୋଦୀ କାନପୁର ଗସ୍ତରେ ଥିବା ବେଳେ କାନପୁର ଚକେରୀ ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ଶୁଭମଙ୍କ ପରିବାର ସହ ସେ ସାକ୍ଷାତ କରିଛନ୍ତି । ମୋଦୀ ଶୁଭମ ଦ୍ବିବେଦୀଙ୍କ ପରିବାର ସହ ଭେଟ କରି ସାନ୍ତ୍ବନା ଦେଇଛନ୍ତି । ସେମାନଙ୍କୁ ଆଶ୍ବାସନା ଦେଇ କହିଛନ୍ତି ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢେଇ ଏବେ ପର୍ଯ୍ୟନ୍ତ ଶେଷ ହେଇନାହିଁ । ସେମାନଙ୍କୁ ନିଶ୍ଚିହ୍ନ କରିବା ପର୍ଯ୍ୟନ୍ତ ଲଢେଇ ଜାରୀ ରହିବ ଏବଂ ପହଲଗାମରେ ଜୀବନ ହାରିଥିବା ସମସ୍ତ ପୀଡିତଙ୍କୁ ନ୍ୟାୟ ମିଳିବ । ଏହା ସହିତ ମୋଦୀ ଶୁଭମଙ୍କ ସ୍ତ୍ରୀ ଐଶନ୍ୟା ଦ୍ବିବେଦୀଙ୍କୁ ଭେଟି ତାଙ୍କର ହାଲଚାଲ ବୁଝିଛନ୍ତି । ତାଙ୍କୁ ସାହାସ ଦେଇ ସେ କହିଛନ୍ତି ଆମେ ଆପଣଙ୍କ ପରିବାର ସହିତ ଛିଡା ହେଇଛୁ ଏବଂ ଆପଣଙ୍କ ସ୍ବାମୀଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ।
ପହଲଗାମର ଶାନ୍ତ ପରିବେଶରେ ପ୍ରିୟଜନଙ୍କ ସହିତ ବୁଲିବାର ମଜା ଉଠାଉଥିଲେ ପର୍ଯ୍ୟଟକ । ହେଲେ ହଠାତ ଆତଙ୍କୀଙ୍କ ଗୁଳିରେ ରକ୍ତରେ ଲାଲ୍ ହୋଇଯାଇଥିଲା ସେଠାକାର ମାଟି ମା । ଭାରତର ମିନି ସୁଇଜରଲ୍ୟାଣ୍ଡ କୁହାଯାଉଥିବା ସବୁଜ ପରିବେଶ କିଛି ସମୟରେ ହିଁ ରକ୍ତ ରଞ୍ଜିତ ହୋଇଯାଇଥିଲା । କେହି କିଛି ବୁଝିବା ଆଗରୁ ପର୍ଯ୍ୟଯକଙ୍କୁ ଧର୍ମ ପଚାରି ଅଚାନକ ଗୁଳିବର୍ଷା କରିଥିଲେ ଆତଙ୍କବାଦୀ । ଫଳରେ ୨୮ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୨୮ଜଣଙ୍କ ମଧ୍ୟରେ ଥିଲେ ଶୁଭମ ଦ୍ବିବେଦୀ ।