ମଣିପୁର ସ୍ଥିତି ଜାଣିନାହାନ୍ତି, ଆଲୋଚନା ବଦଳରେ ହସୁଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ଅନାସ୍ଥା ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ୨ ଘଣ୍ଟା ୧୩ ମିନିଟ ଭାଷଣରେ ମାତ୍ର ଦୁଇ ମିନିଟ ମଣିପୁର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିରୁ ସ୍ପଷ୍ଟ ଯେ ମଣିପୁରର ସ୍ଥିତି କଣ ସେ ଜାଣିନାହାନ୍ତି । ସେ ନିଜେ ଏହି ସ୍ଥିତିକୁ ଦେଖିବା କଥା ।

ମଣିପୁର ଯାଇ ଲୋକଙ୍କ କଥା ବୁଝିବା କଥା । ଲୋକଙ୍କୁ ବିଶ୍ବାସ ଦେବା ଦରକାର ସେମାନଙ୍କ ପାଇଁ ଏ ଦେଶରେ ପ୍ରଧାନମନ୍ତ୍ରୀ ଅଛନ୍ତି । କିନ୍ତୁ ମଣିପୁର କଥା ବୁଝିବା ପାଇଁ ଏ ସରକାର ସକ୍ଷମ ନୁହେଁ । ସଂସଦରେ ଏଭଳି ଗମ୍ଭୀର ସ୍ଥିତି ଉପରେ ଆଲୋଚନା କରିବା ବଦଳରେ ପ୍ରଧାନମନ୍ତ୍ରୀ ହସୁଛନ୍ତି । ମଣିପୁରରେ ଭାରତମାତାର ହତ୍ୟା କରିଛି ବିଜେପି । ସ୍ଥିତିକୁ ନିୟନ୍ତ୍ରଣ କରିବା ବଦଳରେ ଜଳିବାକୁ ଦିଆଯାଇଥିଲା ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଚାହିଁଥିଲେ ସେନାକୁ ପଠାଇ ଦୁଇ ଦିନରେ ହିଂସାକୁ ବନ୍ଦ କରାଯାଇ ପାରିଥାନ୍ତା । କିନ୍ତୁ କିଛି କଲେନି ମୋଦି । ହିଂସା ହେବାକୁ ଦିଆଯାଇଥିଲା । ଲୋକଙ୍କ ଘର ଜଳାଯାଇଥିଲା । ମହିଳାଙ୍କ ପ୍ରତି ଦୁଷ୍କର୍ମ ବଢିଥିଲା । ହେଲେ ଆଖି ବୁଜି ଦେଇଥିଲେ ସରକାର । ମୁଖ୍ୟମନ୍ତ୍ରୀଙ୍କ ଆଖି ଆଗରେ ହିଂସା ବଢିଥିଲା, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଭାରତ ମାତା ପ୍ରତି ଯେଉଁଠି ବି ଅତ୍ୟାଚାର ହେବ ମୁଁ ସେଠାରେ ରକ୍ଷା ପାଇଁ ଠିଆ ହେବି ବୋଲି ରାହୁଲ ଗାନ୍ଧୀ କହିଛନ୍ତି  ।