ଦେଶ ହେବ ଆତ୍ମନିର୍ଭର: ଉଦ୍ୟୋଗ ଜଗତ ପାଖରେ ଇତିହାସକୁ ପରିବର୍ତ୍ତନ କରିବାର ସୁଯୋଗ

  • ବେସରକାରୀ କ୍ଷେତ୍ର ପାଇଁ ୪୧ଟି କୋଇଲା ବ୍ଲକର ନିଲାମ
  • ଏହା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଅଧୀନରେ ଘରୋଇ କ୍ଷେତ୍ର ପାଇଁ ୪୧ଟି କୋଇଲା ଖଣୀ ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି  । ସେ କହିଛନ୍ତି ଯେ, ଭାରତ କରୋନା ସହ ଲଢିବ ଏବଂ ଆଗକୁ ବଢିବ । ଏ ବଡ଼ ବିପର୍ଯ୍ୟୟକୁ ଭାରତ ଏକ ସୁଯୋଗରେ ପରିଣତ କରିବ । ଏହି ସଙ୍କଟ ଭାରତକୁ ଏକ ଆତ୍ମନିର୍ଭରଶୀଳ ଭାରତ ହେବାର ଶିକ୍ଷା ଦେଇଛି ।

 

ପ୍ରଧାନମନ୍ତ୍ରୀ ମୋଦୀ ଆତ୍ମନିର୍ଭରଶୀଳ ଭାରତ ଶବ୍ଦର ଅର୍ଥ ବୁଝାଇ କହିଛନ୍ତି ଯେ, ଭାରତ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ଲକ୍ଷ ଲକ୍ଷ କୋଟି ଟଙ୍କା ବୈଦେଶିକ ମୁଦ୍ରା ସଞ୍ଚୟ କରିବ । ଭାରତକୁ ଆଉ ଆମଦାନୀ କରିବାକୁ ପଡିବ ନାହିଁ, ଏଥିପାଇଁ ସେ ନିଜ ଦେଶରେ ଉତ୍ସ ଏବଂ ସମ୍ବଳର ବିକାଶ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆଜି ଏକ ବଡ଼ ପଦକ୍ଷେପ ନିଆଯାଉଛି।

କୃଷି କ୍ଷେତ୍ରରେ କ୍ଷୁଦ୍ର, ମଧ୍ୟମ ଶିଳ୍ପ କ୍ଷେତ୍ରରେ ହେଉ କିମ୍ବା କୋଇଲା ଏବଂ ଖଣି କ୍ଷେତ୍ରରେ ପ୍ରତ୍ୟେକ ଘୋଷଣା ଓ ସଂସ୍କାର ଏକ ମାସ ମଧ୍ୟରେ କରାଯିବ । ଏହି ବିପର୍ଯ୍ୟୟକୁ ଏକ ସୁଯୋଗରେ ପରିଣତ କରିବା ପାଇଁ ଭାରତ କେତେ ଗମ୍ଭୀର ତାହା ଏହି ପଦକ୍ଷେପରୁ ଜଣାପଡିବ । ଆଜି ଆମେ କେବଳ ଘରୋଇ କ୍ଷେତ୍ର ପାଇଁ କୋଇଲା ଖଣୀ ନିଲାମ ଆରମ୍ଭ କରୁନାହୁଁ, ବରଂ ଲକଡାଉନ ପାଇଁ ବନ୍ଦ ହୋଇରହିଥିବା କୋଇଲା କ୍ଷେତ୍ରକୁ ତ୍ୱରାନ୍ୱିତ କରୁଛୁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଶକ୍ତିଶାଳୀ ଖଣି ଏବଂ ଖଣିଜ କ୍ଷେତ୍ର ବିନା ଆତ୍ମନିର୍ଭରଶୀଳ ଭାରତ ସମ୍ଭବ ନୁହେଁ, କାରଣ ଖଣିଜ ପଦାର୍ଥ ଏବଂ ଖଣି ଆମ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଅଟେ । ଏହି ପଦକ୍ଷେପ ପରେ କୋଇଲା ଉତ୍ପାଦନ ସହ କୋଇଲା କ୍ଷେତ୍ର ମଧ୍ୟ ଆତ୍ମନିର୍ଭରଶୀଳ ହେବ  ।

ମୋଦୀ କହିଛନ୍ତି ଦେଶରେ ୧୬ଟି ଜିଲ୍ଲା ଏମିତି ଅଛି ଯେଉଁଠାରେ କୋଇଲାର ବହୁତ ବଡ଼ ଭଣ୍ଡାର ଅଛି, କିନ୍ତୁ ସେଠାକାର ଲୋକମାନେ ଯେତିକି ଲାଭ ପାଇବା କଥା ସେତିକି ଲାଭ ପାଉନାହାନ୍ତି | ଆମର ବହୁ ସଂଖ୍ୟକ ସାଥୀ ବଡ଼ ସହରଗୁଡ଼ିକୁ ରୋଜଗାର ପାଇଁ ଯାଉଥାନ୍ତି । ଏହି କୋଇଲା ବ୍ଲକଗୁଡିକ ଏହି ଲୋକଙ୍କୁ ରୋଜଗାର ଯୋଗାଇବ ଏବଂ ସେଠାରେ ରହୁଥିବା ଲୋକମାନେ ଅଧିକ ସୁବିଧା ପାଇବେ ।

 

 

Leave a Reply