ସଫଳତା, ବିକାଶ, ରୂପାନ୍ତରଣର ସୂତ୍ର ଫାଇଭ-ଟି ଏବେ ସାରାଦେଶରେ ରୋଲ ମଡେଲ

1 min read

ନନ୍ଦିଘୋଷ ବ୍ୟୁରୋ: ଫାଇଭ-ଟି ସୁପରହିଟ । ସଫଳତା, ବିକାଶ, ରୂପାନ୍ତରଣର ସୂତ୍ର ଫାଇଭ-ଟି ଏବେ ସାରାଦେଶରେ ରୋଲ ମଡେଲ । ଆଜି ଦେଶ ଫାଇଭ-ଟିକୁ ରଣନୀତି କରିଛି । କେନ୍ଦ୍ର ସରକାର ଟିବି ବା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ଫାଇଭ-ଟି ଫର୍ମୁଲା ଆପଣେଇଛନ୍ତି । ଟ୍ରେସ, ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ ଟେକ୍ନୋଲଜିକୁ ନେଇ ଦେଶରେ ଟିବି କଣ୍ଟ୍ରୋଲ କାମ ଚାଲିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିବି ବିରୋଧରେ ଭାରତର ଏହି ଫାଇଭ-ଟି ଫର୍ମୁଲାରେ ବିଶ୍ବସ୍ତରୀୟ ଦକ୍ଷତା ଲୁଚିରହିଛି ।

ପ୍ରଧାନମନ୍ତ୍ରୀଙ୍କ ଏହି ଉକ୍ତିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ବାର୍ତ୍ତା ଦେଇଛନ୍ତି । ମୁଖ୍ୟ କଥା ହେଲା, ପ୍ରଧାନମନ୍ତ୍ରୀଙ୍କ ଏହି ଉକ୍ତି ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ମିଳିଯାଇଥିବ ଜବାବ । ରାଜ୍ୟରେ ବିକାଶ ନେଇ ପ୍ରଶାସନିକ ସ୍ତରରେ ସରକାର ଫାଇଭ-ଟି ଉପକ୍ରମ ଆଣିଛନ୍ତି । ଯାହାଦ୍ବାରା ରାଜ୍ୟରେ ବିକାଶର ସ୍ପିଡ ବଢିଛି । ହେଲେ ଏହି ବିକାଶରେ ହୋସ ହରାଇ ରାଜ୍ୟ ବିଜେପି ଫାଇଭ-ଟି କଣ ବୋଲି ପଚାରିଚାଲିଛି ।

ବିରୋଧୀ ଦଳ ନେତା ଫାଇଭ-ଟି କଣ ବୁଝିପାରୁନାହାଁନ୍ତି । ରାଜ୍ୟ ମାମଲାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂପୂର୍ଣ୍ଣ ଚୁପ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଫାଇଭ-ଟି ଫର୍ମୁଲାକୁ ଟ୍ବିଟ କରି ଦେଶରେ ବାର୍ତ୍ତା ବାଣ୍ଟୁଛନ୍ତି । ରାଜ୍ୟ ସରକାର ଫାଇଭ-ଟି ଫର୍ମୁଲା ଆଣିଛନ୍ତି । ଏକଥା ତାଙ୍କୁ ଭଲ ଭାବେ ମାଲୁମ ଥିବ । କିନ୍ତୁ ଯେତେବେଳେ ବିରୋଧୀ ଦଳ ନେତା ଫାଇଭ-ଟିର ଦକ୍ଷତା ନେଇ ସନ୍ଦିହାନ ସେତେବେଳେ ତାଙ୍କୁ ବୁଝାଇବା ଦାୟିତ୍ବ କାହାର ।