ଫୋନ୍ ଯୋଗେ ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ କଥା ହୋଇଛନ୍ତି  । ଦୁଇ ଦେଶର ସମ୍ପର୍କକୁ ମଜଭୁତ କରିବା ପାଇଁ ଦୁଇ ନେତା ଆଲୋଚନା କରିଛନ୍ତି  । ନରେନ୍ଦ୍ର ମୋଦୀ ୟୁକ୍ରେନ ସଙ୍କଟ ଉପରେ ଭାରତର ଆଭଭିମୁଖ୍ୟକୁ ଦୋହରାଇଥିଲେ ଏବଂ ଏହାର ସମାଧାନ କରିବାକୁ କୂଟନୈତିକ ପ୍ରକ୍ରିୟାକୁ ଆପଣାଇବା ପାଇଁ କହିଥିଲେ  । ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ଅନେକ ଥର ଭ୍ଲାଦମିର ପୁଟିନଙ୍କ ସହ ଫୋନ୍ ଯୋଗେ କଥା ହୋଇସାରିଛନ୍ତି । ଯୁଦ୍ଧ ରୋକିବା ପାଇଁ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତାବ ମଧ୍ୟ ଦେଇ ସାରିଛନ୍ତି  । ୟୁକ୍ରେନ ସଙ୍କଟ ବ୍ୟତୀତ ଦୁଇ ଦେଶ ଦ୍ୱିପାକ୍ଷିକ ବ୍ୟବସାୟ ସମେତ ଅନ୍ୟ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି  । ଏଥିସହିତ ପୁଟିନଙ୍କ ଭାରତ ଯାତ୍ରା ସମୟରେ ନିଆଯାଇଥିବା ନିଷ୍ପତ୍ତିର ସମୀକ୍ଷା ମଧ୍ୟ ଆଜିର ଚର୍ଚ୍ଚା ସମୟରେ ହୋଇଥିଲା  ।

ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ସଙ୍କଟକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେଂସ୍କିଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇସାରିଛନ୍ତି  । ପୂର୍ବରୁ ମଧ୍ୟ ଯୁଦ୍ଧ ସଙ୍କଟର ସମାଧାନ ଆଲୋଚନା ମାଧ୍ୟମରେ ବାହାର କରିବାକୁ ଅପୀଲ କରିସାରିଛନ୍ତି  । ରୁଷ ସହ ଖାଦ୍ୟ ସୁରକ୍ଷା ସମେତ ଅନେକ ବୈଶ୍ୱିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ କୃଷି ବସ୍ତୁ, ଫାର୍ମା ପ୍ରଡକ୍ଟ ଏବଂ ଉର୍ବରକକୁ ନେଇ ଚର୍ଚ୍ଚା ହୋଇଥିଲା  । ଦୁଇ ଦେଶ ଅନ୍ତର୍ଜାତୀୟ ଶକ୍ତି ଏବଂ ଖାଦ୍ୟ ବଜାରର ବର୍ତ୍ତମାନ ସ୍ଥିତି ଉପରେ ବିଚାର କରିଛନ୍ତି  ।

ଏଠାରେ ସୂଚନା ଥାଉକି ରୁଷ୍ ଭାରତର ପାରମ୍ପରିକ ମିତ୍ର ଦେଶ ଅଟେ  । କିନ୍ତୁ କିଛି ଦିନ ହେବ ୟୁକ୍ରେନ ପ୍ରସଙ୍ଗକୁ ନେଇ ଭାରତ ରୁଷକୁ ସମର୍ଥନ କରୁନାହିଁ  । ନିକଟରେ ହୋଇଥିବା ଜି୭ ବୈଠକରେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀଙ୍କୁ ରୁଷ୍ ଦେଶ ବିରୋଧୀ ରାଷ୍ଟ୍ରମାନେ ନିମନ୍ତ୍ରଣ କରିଥିଲେ । ରୁଷ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା  । ଭାରତ କିନ୍ତୁ ଏହି ପ୍ରସଙ୍ଗ ଉପରେ ନା ରୁଷକୁ ସମର୍ଥନ ଦେଇଥିଲା ନାଁ ବୈଠକରେ ଖୋଲାଖୋଲି ସମର୍ଥନ ଦେଇଥିଲା  ।