ନବୀନଙ୍କ ସହ କଥା ହେଲେ ମୋଦୀ, ଧନଖଡ଼ଙ୍କୁ ସମର୍ଥନର ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫୋନଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଉପରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ଜଗଦୀପ ଧନଖଡ଼ ଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ । ଧନଖଡଙ୍କୁ ସମର୍ଥନ ଦେବା ନେଇ ପ୍ରତିଶୃତି ଦେଇଛନ୍ତି ନବୀନ ପଟ୍ଟନାୟକ । ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେଡି ସାଂସଦ ଉପସ୍ଥିତ ରହିବେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିବେ ଧନଖଡ଼ । ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ ।

ଆସନ୍ତା ଅଗଷ୍ଟ ୬ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ବିରୋଧୀଙ୍କ ପକ୍ଷରୁ କଂଗ୍ରେସର ବରିଷ୍ଠ ନେତା ମାର୍ଗରେଟ ଆଲଭା ପ୍ରାର୍ଥୀ ହୋଇଛନ୍ତି । ତେବେ ପୂର୍ବରୁ ମାଟିର ଝିଅ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ଦେବ ବୋଲି ଘୋଷଣା କରିଥିଲା । ଓଡିଶାର ସମ୍ମାନ ପାଇଁ ଦ୍ରୌପଦୀଙ୍କ ସମର୍ଥନରେ ବିଜେଡି ବିରୋଧୀଙ୍କୁ ଭେଟି ଭୋଟ ଭିକ୍ଷା ମଧ୍ୟ କରିଥିଲା । ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ବିଜେଡିର ସମସ୍ତ ବିଧାୟକ ଓ ରାଜ୍ୟସଭା ଏବଂ ଲୋକସଭା ସାଂସଦ ଭୋଟ ଦେବେ ।