ଆଜି ନୀତି ଆୟୋଗ ବୈଠକ, ଦିଲ୍ଲୀରେ ହକ୍ ମାଗିବ ଓଡ଼ିଶା

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ । ଦିଲ୍ଲୀରେ ହକ୍ ମାଗିବ ଓଡ଼ିଶା । ନୀତି ଆୟୋଗ ବୈଠକରେ ଦାବି ଦୋହରାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକାଶରେ ବାଟ ଓଗାଳୁଛି କେନ୍ଦ୍ରର ଅସହଯୋଗ । ପୂରଣ ହେଉନାହିଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କି ମିଳୁନାହିଁ ସ୍ବତନ୍ତ୍ର ଆର୍ଥିକ ସହାୟତା । ଓଡ଼ିଶାର ଟେଲିକମ, ବ୍ୟାଙ୍କିଙ୍ଗ ଓ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ବିଶେଷ ଦୃଷ୍ଟି ଦେଉନାହିଁ କେନ୍ଦ୍ର । ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି  । ବତ୍ୟା, ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଦୋହଲିଯାଉଛି  ।

କେନ୍ଦ୍ରରେ ୮ ବର୍ଷରୁ ଅଧିକ ସମୟ ଧରି ବିଜେପି ସରକାର ଚାଲିଥିଲେ ମଧ୍ୟ ଓଡ଼ିଶାର ଏହି ହକକୁ ଅଣଦେଖା କରିଚାଲିଛି । ରାଜ୍ୟବାସୀଙ୍କ ଏସବୁ ଦାବିକୁ ନୀତି ଆୟୋଗ ବୈଠକରେ ଉଠାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ଏହି ନ୍ୟାର୍ଯ୍ୟ ଦାବିକୁ ନୀତି ଆୟୋଗ ଅନୁଧ୍ୟାନ କରି ଦାବିପୂରଣ କରିବାକୁ ଓଡ଼ିଶା ସ୍ବର ଉଠାଇବ ।