ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ 3T ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

1 min read
Narendra Modi

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ ମୋଦିଙ୍କ 3T ମନ୍ତ୍ର । କହିଲେ ସତର୍କ ରହିବା ସହ ଟେଷ୍ଟ-ଟ୍ରାକ୍‌-ଟ୍ରିଟ୍‌ ଉପରେ ଗୁରୁତ୍ୱ ଦେବାକୁ ହେବ । ସବୁ ରାଜ୍ୟରେ ଆର୍‌ଟିପିସିଆର୍‌ ଟେଷ୍ଟକୁ ତ୍ୱରିତ କରିବାକୁ ହେବ । ଖାଲି ସେତିକି ନୁହେଁ ଆମେ ଗତ ବର୍ଷେ ହେଲା କରୋନା ସହ ଲଢ଼ୁଛେ ତେଣୁ ଆମର ଅଭିଜ୍ଞତା ଅଛି । ଆମେ ଏବେ ସେହି ଅଭିଜ୍ଞତାକୁ ବ୍ୟବହାର କରିବା । ଆବଶ୍ୟକ ପଡ଼ିଲେ ଜରୁରି ପଦକ୍ଷେପ ବି ନେବା । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଓଡ଼ିଶା, କେରଳ, ଛତିଶଗଡ଼, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ଉପରେ ଗୁରତ୍ୱ ଦିଆଯାଉଥିବା କଥା ମଧ୍ୟ କହିଛନ୍ତି ମୋଦି । ହେଲେ ସବୁ ରାଜ୍ୟ ଆର୍‌ଟିପିସିଆର୍‌ ଟେଷ୍ଟ ଉପରେ ଗୁରୁତ୍ୱ ଦେବାକୁ ମୋଦି ପରାମର୍ଶ ଦେଇଛନ୍ତି ।

ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଥିବା ବେଳେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ସେ କହିଛନ୍ତି ସଂକ୍ରମଣ ବଢ଼ୁଛି ସତ ହେଲେ ସୁସ୍ଥତା ହାର ମଧ୍ୟ ବଢ଼ୁଛି । କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ । କରୋନା ଗାଇଡ୍‌ଲାଇନ୍‌ସ ମାନି ଚଳିବାକୁ ପଡ଼ିବ । ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସଂକ୍ରମଣ ଖୁବ୍‌ କମ୍‌ ରହିଛି । କିଛି ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ଏବେ ପୁଣି ବଢ଼ିବାରେ ଲାଗିଛି । ଏଥିପ୍ରତି ସମସ୍ତଙ୍କ ନଜର ରହିଛି । ତେଣୁ ଦେଶବାସୀଙ୍କୁ ଅନୁରୋଧ, ସତର୍କ ରୁହନ୍ତୁ । ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ କମିବା ପରେ ପୁଣି ବଢ଼ିବାରେ ଲାଗିଛି । ଏମିତିକି ୭୦ ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ୧୫୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌ । ଏହାକୁ ଏଇଠି ହିଁ ବ୍ରେକ୍‌ ଦେବାକୁ ପଡ଼ିବ । ନଚେତ୍‌ ବିପଦ ମାଡ଼ି ଆସିବ ।

ଅନ୍ୟପଟେ କିଛି ସ୍ଥାନୀୟ ପ୍ରଶାସନ ମାସ୍କ ବ୍ୟବହାରକୁ ନେଇ ଗୁରୁତ୍ୱ ଦେଉନାହାନ୍ତି । କିମ୍ବା ନିୟମ କଡ଼ାକଡ଼ି କରୁନାହାନ୍ତି । ପ୍ରଶାସନିକ ସ୍ତରରେ କୋଭିଡ୍‌ ନିୟମ ପାଳନକୁ ତଦାରଖ କରାଯାଉନି । ଏହା ଅତ୍ୟନ୍ତ ଚିନ୍ତାର ବିଷୟ । ସ୍ଥାନୀୟ ପ୍ରଶାସନ ଏଭଳି ହାଲୁକା ମନୋଭାବ ପୋଷଣ କରିବା ଉଚିତ୍‌ ନୁହେଁ । ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ବର୍ତ୍ତମାନ ଗୁଡ୍‌ ଗଭର୍ଣ୍ଣାନ୍ସ ଦେଖାଇବାର ସମୟ । ଆମକୁ ପରିସ୍ଥିତି ଦେଖି ପଦକ୍ଷେପ ନେବାକୁ ପଡ଼ିବ । ଲୋକଙ୍କ ଭୟଭୀତ ନକରି ସୁବ ଦିଗରୁ ବୁଝିସୁଝି କରୋନା ସହ ଲଢ଼ିବାକୁ ପଡ଼ିବ । କରୋନା ସହ ଲଢ଼ିବାର ଅଭିଜ୍ଞତା ଆମର ହୋଇସାରିଛି । ଆମେ ପୂର୍ବରୁ କରୋନା ଲଢ଼େଇରେ ସଫଳତା ପାଇସାରିଛେ । କିନ୍ତୁ ସେହି ସଫଳତା, ବିଫଳତାରେ ପରିଣତ ନହେଉ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ମୋଦି ଆହୁରି କହିଛନ୍ତି, ଦେଶରେ ଆର୍‌ଟିପିସିଆର୍‌ ଟେଷ୍ଟ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ । ୭୦ ପ୍ରତିଶତରୁ ଅଧିକ ଟେଷ୍ଟ ନିହାତି ହେବା ଜରୁରୀ । ଗତ ଏକ ବର୍ଷ ହେବ ଆମେ କରୋନା ସହ ଲଢ଼େଇ କରୁଛେ । ସ୍ଥାନୀୟ ପ୍ରଶାସନର ମଧ୍ୟ ଏନେଇ ଅଭିଜ୍ଞତା ରହିଛି । ତେଣୁ ସେମାନେ ନିଜ ଅଭିଜ୍ଞତାକୁ ବ୍ୟବହାର କରନ୍ତୁ । କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ଆବଶ୍ୟକ ଥିଲେ ତାହା କରନ୍ତୁ । ଟେଷ୍ଟିଂ ସଂଖ୍ୟା ମଧ୍ୟ ବୃଦ୍ଧି କରନ୍ତୁ । ପୁଣି ଥରେ କରୋନା ସଂକ୍ରମଣକୁ ନେଇ ବଡ଼ ଚର୍ଚ୍ଚା ହେବା ଆବଶ୍ୟକ । କରୋନା ସଂକ୍ରମଣକୁ ରୋକିବା ପାଇଁ ଆମକୁ ସେହି ପୁରୁଣା ପ୍ରଣାଳିକୁ ଆପଣାଇବାକୁ ପଡ଼ିବ । ଟେଷ୍ଟ-ଟ୍ରାକ୍‌-ଟ୍ରିଟ୍‌ ।‌ ପୂର୍ବରୁ ମଧ୍ୟ ଆମେ ଏହି ପ୍ରକ୍ରିୟା ଅବଲମ୍ବନ କରାଯାଇଛି । କମ୍‌ ସମୟ ମଧ୍ୟରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ଜରୁରୀ ବୋଲି ମୋଦି କହିଛନ୍ତି ।

ଅନ୍ୟପଟେ ସେ ଆହୁରି କହିଛନ୍ତି ଯେ, ଦେଶରେ ଭ୍ୟାକ୍ସିନେସନ୍‌ କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ଆଗାମୀ ଦିନରେ ଏହାକୁ ତ୍ୱରିତ କରାଯିବ । ଦେଶରେ ଏବେ ବି ବିଭିନ୍ନ ସ୍ଥାନରେ ଭ୍ୟାକ୍ସିନ୍‌ ପହଞ୍ଚି ନାହିଁ । ଟେକ୍ନୋଲୋଜିର ବ୍ୟବହାର କରାଯାଉଛି । ଦୀର୍ଘ ଏକ ବର୍ଷର ପରିଶ୍ରମ ପରେ ଆମ ପାଖରେ କରୋନାକୁ ହରାଇବା ପାଇଁ ଅସ୍ତ୍ର ପହଞ୍ଚିଛି । ତେଣୁ ଭ୍ୟାକ୍ସିନକୁ ନଷ୍ଟ ହେବାକୁ ଦେବାନି । ଭ୍ୟାକ୍ସିନ୍‌ ନେବା ପରେ ମଧ୍ୟ ସତର୍କ ରୁହନ୍ତୁ । କରୋନା ସଂକ୍ରମଣ ସ୍ଥାନକୁ ଯାଆନ୍ତୁ ନାହିଁ । ମାସ୍କ ବ୍ୟବହାର କରନ୍ତୁ । ସାମଜିକ ଦୂରତ ଅବଲମ୍ବନ କରନ୍ତୁ ।

Leave a Reply