ସମ୍ବଲପୁରରେ ୬୮ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁରରେ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସମ୍ବଲପୁର ଆଇଆଇଏମ ନୂତନ କ୍ୟାମ୍ପସର ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ବିକାଶ ଯାତ୍ରା ଲାଗି ଆଜି ଏକ ଗୁରୁତ୍ଵପୂର୍ଣ୍ଣ ଦିନ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଏହାସହ ଓଡ଼ିଶାବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଲାଗି ଧନ୍ୟବାଦ ଜଣାଇଥିଲେ ।

ରାଜ୍ୟବାସୀଙ୍କୁ ଅଭିଭାଷଣ ଦେଇ କହିଛନ୍ତି, ଶିକ୍ଷା, ରେଳ, ସଡ଼କ, ବିଜୁଳି, ପେଟ୍ରୋଲିୟମ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ଏହି ଯୋଜନାରେ ସାମିଲ ରହିଛି । ପ୍ରକଳ୍ପର ଲାଭ ଓଡ଼ିଶାର ଗରିବ, ଶ୍ରମିକ, କର୍ମଚାରୀ, ଦୋକାନୀ, ବ୍ୟବସାୟୀ, ଚାଷୀ ସହ ସମାଜର ସମସ୍ତ ବର୍ଗଙ୍କୁ ମିଳିବ । ଏହି ପ୍ରକଳ୍ପ ଓଡ଼ିଶାରେ ସୁବିଧା ସାଙ୍ଗକୁ ଏଠାକାର ଯୁବକଙ୍କ ଲାଗି ରୋଜଗାର ସୁଯୋଗ ଆଣିବ । ଓଡ଼ିଶାକୁ ଶିକ୍ଷା, କୌଶଳ ବିକାଶର ମହତ୍ଵପୂର୍ଣ୍ଣ କେନ୍ଦ୍ର କରିବାକୁ ନିରନ୍ତର ପ୍ରୟାସ ଜାରି ରହିଛି । ବିଗତ ଦଶକରେ ଓଡ଼ିଶାକୁ ମିଳିଥିବା ଶିକ୍ଷା ଅନୁଷ୍ଠାନ ଯୁବକଙ୍କ ଭାଗ୍ୟ ବଦଳାଉଛି । ଯେତେବେଳେ ସବୁ ରାଜ୍ୟ ବିକଶିତ ହେବେ ସେତେବେଳ ବିକଶିତ ଭାରତ ଲକ୍ଷ୍ୟକୁ ଆମେ ସମସ୍ତେ ପ୍ରାପ୍ତ କରିପାରିବା ।’

ଆଗକୁ ସେ କହିଥିଲେ, ‘କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଓଡ଼ିଶା ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ କ୍ଷେତ୍ରରେ ସଫଳତା ଛୁଇଁଛି । ରାଜ୍ୟର ବିକାଶ ଲାଗି କେନ୍ଦ୍ର ସର୍ବତା ସମର୍ପିତ ଭାବେ ପ୍ରୟାସ ଜାରି ରଖିବ ।’

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଆଇଏମ ସମ୍ବଲପୁରର ନୂତନ କ୍ୟାମ୍ପସ ଲାଗି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଆଇଆଇଏମରେ ପାଠ ପଢିବା ଛାତ୍ରଛାତ୍ରୀଙ୍କ ଲାଗି ଏକ ସ୍ଵତନ୍ତ୍ର ଅନୁଭୂତି । ଦେଶରେ ଉନ୍ନତତ୍ତର ଶିକ୍ଷାଦାନ ଲାଗି ପଚିଚିତ ଆଇଆଇଏମ । ଏଠାରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସୁନାମ ଅର୍ଜନ କରିଛି ଆଇଆଇଏମ । ଆଉ ଏହି ସବୁ ଲକ୍ଷ୍ୟ ପୂରଣ କରିଛି ସମ୍ବଲପୁର ଆଇଆଇଏମ । ଏଠାରୁ ଶିକ୍ଷାଲାଭ କରି ଅନେକ ଯୁବକ ଯୁବତୀ ଦେଶ, ବିଦେଶରେ ନାମି କମ୍ପାନୀରେ ନିଯୁକ୍ତି ପାଇଛନ୍ତି । ଏଠାରେ ପାଠ ପଢିଥିବା ଛାତ୍ରଛାତ୍ରୀ ସେମାନଙ୍କ ଭବିଷ୍ୟତରେ ସଫଳତା ହାସଲ କରିବା ସହ ନିଜ ରାଜ୍ୟର ବିକାଶ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଠାରେ ପାଢ ପଢିଥିବା ଛାତ୍ରଛାତ୍ରୀ  ନିଜ ଅନୁଷ୍ଠାନର ଆଲୁମନି ନହୋଇ ରାଜ୍ୟର ବିକାଶ ନେଇ ଆଲୁମନି ଭାବେ ପ୍ରୟାସ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଛାତ୍ରଛାତ୍ରୀ ସେମାନଙ୍କ ଜ୍ଞାନ ଏବଂ ଅଭିଜ୍ଞତାକୁ ରାଜ୍ୟର ବିକାଶ କ୍ଷେତ୍ରରେ ଲଗାଇବାକୁ ସେ କହିଛନ୍ତି ।

ଆଗକୁ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଷ୍ଟାର୍ଟଅପ୍ କ୍ଷେତ୍ର ଲାଗି ଦେଶରେ ଏବେ ଚାଲିଛି ସୁବର୍ଣ୍ଣ ଯୁଗ । ଆଉ ଷ୍ଟାର୍ଟଅପର ପ୍ରସାର କ୍ଷେତ୍ରରେ ଦେଶରେ ଓଡ଼ିଶା ଆଗରେ ରହିଛି । ଯୁବବର୍ଗ ସେମାନଙ୍କ ଜ୍ଞାନ ବିନିଯୋଗ କରି ଏହି କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ପ୍ରୟାସ କରିବା ଦରକାର । ଯୁବବର୍ଗଙ୍କ ମଧ୍ୟରେ ଥିବା ଏହି ଚିନ୍ତାଧାରା ଦେଶକୁ ବିକାଶପଥର ଏକ ନୂତନ ସ୍ତରକୁ ନେଇଯିବ ।’

ଭାରତୀୟ ଭାଷାକୁ ଭଲ ପାଉଥିବା ପ୍ରଧାନମନ୍ତ୍ରୀ ଆମ ଗହଣରେ ଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।