ନନ୍ଦିଘୋଷ ବ୍ୟୁରୋ : ପିଏନବି ବ୍ୟାଙ୍କ ଋଣ ଠକେଇ ମାମଲା। ପଳାତକ ବ୍ୟବସାୟୀ ମେହୁଲ ଚୋକସିର ଆବେଦନ ବେଲଜିୟମ ସୁପ୍ରିମକୋର୍ଟରେ ଖାରଜ। ଭାରତର ପ୍ରତ୍ୟର୍ପଣ ମାମଲାକୁ ନେଇ ବେଲଜିୟମ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ମେହୁଲ ଚୋକସି। ତେବେ ବେଲଜିୟମର ସୁପ୍ରିମକୋର୍ଟ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ଆବେଦନକୁ ଖାରଜ କରି ଭାରତକୁ ପ୍ରତ୍ୟର୍ପଣ ପାଇଁ ପଥ ପ୍ରଶସ୍ତ କରୁଥିବା ପୂର୍ବ ନିର୍ଦ୍ଦେଶକୁ ବଜାୟ ରଖିଛନ୍ତି। ଗତ ୧୭ ଅକ୍ଟୋବରରେ ଭାରତର ପ୍ରତ୍ୟର୍ପଣ ଅନୁରୋଧକୁ ସମର୍ଥନ କରିବା ଏବଂ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ରାୟ ଦେବା ପରେ କୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲା ମେହୁଲ ଚୋକସି। ଭାରତର ଅନୁରୋଧ କ୍ରମେ ଚୋକସିଙ୍କୁ ଗତ ଏପ୍ରିଲରେ ବେଲଜିୟମ କର୍ତ୍ତୃପକ୍ଷ ଗିରଫ କରିଥିଲେ। ସେବେଠାରୁ ସେ ସେଠାରେ ଜେଲରେ ଅଛି। କୋଟି କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ଭାରତରେ ପଳାତକ ଘୋଷଣା ହୋଇଛନ୍ତି ମେହୁଲ ଚୋକସି। ୨୦୧୮ ମସିହାରୁ ବିଦେଶରେ ପ୍ରତ୍ୟର୍ପଣ ପ୍ରକ୍ରିୟା ଲଢ଼ୁଛନ୍ତି ମେହୁଲ ଚୋକସି। ଚୋକସି ଏବଂ ତାଙ୍କ ଭଣଜା ନୀରବ ମୋଦି ବିରୋଧରେ ଥିବା ଏହି ମାମଲାର ତଦନ୍ତ କରୁଛି ସିବିଆଇ। PNBରୁ ୧୩ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ହଡ଼ପ କରିବାର ଅଭିଯୋଗ ରହିଛି। ମୋଦି ବର୍ତ୍ତମାନ ଲଣ୍ଡନର ଏକ ଜେଲରେ ବନ୍ଦୀ ଅଛନ୍ତି ଏବଂ ପ୍ରତ୍ୟର୍ପଣରୁ ରକ୍ଷା ପାଇବା ପାଇଁ ଆଇନଗତ ଆଶ୍ରୟ ନେଇଛନ୍ତି।

