ଦେବଗଡ଼ରେ ନକଲି ନୋଟ କାରବାର ବେଳେ ଜଣଙ୍କୁ ଗିରଫ କଲା ପୋଲିସ

ଦେବଗଡ଼: ଦେବଗଡ଼ରେ ନକଲି ନୋଟ କାରବାର ବେଳେ ଜଣଙ୍କୁ ଗିରଫ କଲା ପୋଲିସ । ବସଷ୍ଟାଣ୍ଡ ନିକଟରେ ନକଲି ନୋଟ ଦେଇ ସାମଗ୍ରୀ କିଣୁଥିବାବେଳେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରର ବିନୋଦ ସିଂ ଗିରଫ ହୋଇଛନ୍ତି । ନକଲି ନୋଟ ସନ୍ଦେହରେ ପ୍ରଥମେ ଦୋକାନୀ ତାଙ୍କୁ ଅଟକାଇଥିଲେ । ସେଠାରୁ କୌଶଳ କ୍ରମେ ଖସିଯାଇଥିଲା ଅଭିଯୁକ୍ତ । ଦୋକାନୀଙ୍କ ଅଭିଯୋଗ ଆଧାରରେ ପୋଲିସ ବିନୋଦର ଘରେ ଚଢ଼ାଉ କରି 135 ଖଣ୍ଡ ନକଲି ପାଞ୍ଚ ଶହ ଓ 20 ଖଣ୍ଡ 200 ଟଙ୍କିଆ ନୋଟ ଜବତ ହୋଇଛି ।

ଜବତ ନକଲି ନୋଟର ମୂଲ୍ୟ 69 ହଜାର 500 ଟଙ୍କା । ଏହା ସହିତ ଗୋଟିଏ ପାସ ବୁକ 14ଟି ଏଟିଏମ କାର୍ଡ, 6ଟି ମୋବାଇଲ ଫୋନ ଓ ଗୋଟିଏ ବୋଲେରୋ ଜବତ କରିବା ସହ ବିନୋଦକୁ ଗିରଫ କରାଯାଇଚି । ପୋଲିସର ପଚରାଉଚରା ପରେ ଅଭିଯୁକ୍ତ କହିଛି, ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ସାଲଡେଗା ଗାଁର ପୁନେଇଁ ଓରାମ 30 ହଜାର ଟଙ୍କା ଅସଲି ନୋଟ ବଦଳରେ ଏକ ଲକ୍ଷ ଟଙ୍କା ନକଲି ନୋଟ ଦେଇଥିଲେ । ନକଲି ନୋଟ କାରବାରର ମୂଳରେ ପହଞ୍ଚିବାକୁ ସ୍ବତନ୍ତ୍ର ଟିମ୍ ଗଠନ କରିଛି ପୋଲିସ ।