ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣା: ୯ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ  । ଏହି ଅଭିଯୋଗରେ ପୋଲିସ  ୯ ଜଣଙ୍କୁ ଗିରଫ କରିଛି । ବାଲୁଗାଁ ଏସଡିପିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡ  ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନୀଳାଦ୍ରି ପ୍ରସାଦସ୍ଥିତ ପୁରୁଣା ବଙ୍କାଡ଼ଗଡ଼ ରାଜପ୍ରସାଦ ନିକଟସ୍ଥ ଜଙ୍ଗଲରୁ ସେମାନଙ୍କୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି ।

ଗତ ୧୨ ତାରିଖରେ ବାଣପୁର ବ୍ଲକ ଆଗରେ ଚିଲିକା ବିଧାୟକ ଜନସାଧାରଣଙ୍କ ଉପରେ ଗାଡ଼ି ମଡାଇଦେଇଥିଲେ । ବ୍ଲକ ଆଗରେ ବିଜେପିର କାର୍ଯ୍ୟକର୍ତ୍ତା ଏବଂ ସାଧରଣ ଲୋକ ଉପସ୍ଥିତ ରହିଥିଲେ  । ବିପୁଳ ଲୋକ ବ୍ଲକ ସାମ୍ନାରେ ରୁଣ୍ଡ ହୋଇଥିବାବେଳେ ବିଧାୟକ ଜଗଦ୍ଦେବ ନିଜର ରେଞ୍ଜ ରୋଭର ଗାଡିକୁ ଅତ୍ୟନ୍ତ ଅମାନୁଷିକ ଭାବେ ଲୋକଙ୍କ ଭିତରକୁ ଗାଡି ମଡାଇନେଇଥିଲେ  । ଫଳରେ ଏକାଧିକ ଲୋକଙ୍କ ଆହତ ହୋଇଥିଲେ  । ଏଥିରେ ଖୋଦ ବାଣପୁର ଆଇଆଇସିଙ୍କ ଗୋଡରେ ମଧ୍ୟ ଗାଡି ଚଢିଯାଇଥିଲା  ।  ଏଥିରେ ଉତକ୍ଷିପ୍ତ ହୋଇ ସାଧାରଣ ଲୋକେ ବିଧାୟକଙ୍କୁ ଆକ୍ରମଣ କରିଥିଲେ ।

ସର୍ବସମ୍ମୁଖରେ ବିଧାୟକଙ୍କୁ ଗାଡିରୁ ଘୋଷାରି ଆଣି ମାଡ ମାରିଥିଲେ  । ମରାଣାନ୍ତକ ଆକ୍ରମଣ ମଧ୍ୟ ବିଧାୟକଙ୍କୁ କରିଥିଲେ ଉତ୍ୟକ୍ତ ଲୋକେ  । ଫଳରେ ବିଧାୟକଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା  । ପରବର୍ତ୍ତୀ ସମୟରେ ଗୁରୁତର ଆହତ ହୋଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମେଡିକାଲରେ ଚିକିତ୍ସାଧିନ ରହିଥିଲେ  । ବିଧାୟକ ସାଧାରଣ ଲୋକଙ୍କ ଉପରେ ଗାଡି ମଡାଇବା ଘଟଣାରେ ପୋଲିସ ଗ୍ରହଣ କରିଥିଲା କଠୋର କାର୍ଯ୍ୟାନୁଷ୍ଠାନ  । ଜଗଦ୍ଦେବଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇବା ସହ ଗିରଫ ନେଇ ମଧ୍ୟ ସୂଚନା ଦିଆଯାଇଥିଲା  । ସେପଟେ ବିଧାୟକ ସୁସ୍ଥ ହେବାପରେ ତାଙ୍କୁ ଗିରଫ କରାଯାଇଛି  ।

ଅନ୍ୟପଟେ ବିଧାୟକଙ୍କ ଗାଡ଼ି ନମ୍ବର ଜାଲିଆତି ନେଇ ମଧ୍ୟ ବିବାଦ ମୁଣ୍ଡ ଟେକିଥିଲା  । ଯେଉଁଗାଡି ଲୋକଙ୍କୁ ଦୁର୍ଘଟଣା ଘଟଇଥିଲା ସେହି ଗାଡି ନମ୍ବର ପରିବର୍ତ୍ତେ ଏଫଆଇଆରରେ ଭିନ୍ନ ଏକ ଗାଡି ନମ୍ବର ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା  । ଏନେଇ ମଧ୍ୟ ଏକ ମାମଲା ଋଜୁ କରାଯାଇଥିଲା  । ସେପଟେ ଏହି  ମାମଲାରେ ଏପ୍ରିଲ ୨ ତାରିଖ ସନ୍ଧ୍ୟା 5ଟା ସୁଦ୍ଧା ଉଭୟ ଗାଡ଼ିର କାଗଜପତ୍ର ଦାଖଲ କରିବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବାଲୁଗାଁ ଏସଡିପିଓ ।