ବନମାଳୀପୁର ଫାଣ୍ଡି ଅଧିକାରୀଙ୍କ ଦବଙ୍ଗଗିରି, କଥା କଥାକେ ଦେଖାଉଛନ୍ତି ବନ୍ଧୁକ

ଭୁବନେଶ୍ୱର: ପୁଣି ଜଣେ ପୋଲିସ ବାବୁଙ୍କ ଦବଙ୍ଗଗିରି ପଦାକୁ ଆସିଛି । କଥା କଥାକେ ସର୍ଭିସ୍‌ ରିଭଲଭରରେ କଥା ହେଉଛନ୍ତି ଏହି ଦବଙ୍ଗ ପୋଲିସ ବାବୁ । ଯାହାର ଭିଡିଓ ଭାଇରାଲ ହୋଇଛି ସୋସିଆଲ ମିଡିଆରେ । ଇଏ ହେଉଛନ୍ତି ସେଇ ଦବଙ୍ଗ ପୋଲିସ ବାବୁ । କମିଶନରେଟ୍‌ ପୋଲିସର ବାଲିପାଟଣା ଥାନା ଅଧିନସ୍ଥ ବନମାଳିପୁର ଫାଣ୍ଡି ଅଧିକାରୀ ପ୍ରକାଶ ପୃଷ୍ଟି । ପତିତପାବନପାଟଣା ଗ୍ରାମର ଜଣେ ଯୁବକଙ୍କ ମୁଣ୍ଡରେ ସର୍ଭିସ୍‌ ରିଭଲଭର ଲଗାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓ ଭାଇରାଲ ହୋଇଛି । ଯୁବକଙ୍କ ଭୁଲ ହେଉଛି ଲକ୍‌ ଡାଉନ୍‌ ନିୟମକୁ ଭାଙ୍ଗି ରାତିରେ ଗ୍ରାମରେ ବୁଲିଥିଲେ ।

 

ତେବେ ଫାଣ୍ଡିବାବୁଙ୍କର ଏହା ପ୍ରଥମ ଘଟଣା ନୁହେଁ । ବରଂ ତାଙ୍କ ସମୟରେ ଅପରାଧିକ କାର୍ଯ୍ୟକଳାପ ବେଶ୍‌ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଅପରାଧିଙ୍କୁ ସେ ସାବାଡ଼ କରିବେ କଣ ସାଧାରଣ ଲୋକଙ୍କୁ ଖାକି ପୋଷାକର ନାଲି ଆଖି ଦେଖାଉଛନ୍ତି ବାବୁ ଜଣକ । ସାଧାରଣ ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ତ ଦୂରର କଥା ନିଜ ପଦସ୍ଥ ଅଧିକାରୀଙ୍କୁ ମଧ୍ୟ ସେ ଖାତିର କରନ୍ତି ନାହିଁ । ପ୍ରତିଉତ୍ତରରେ ସେ କୁଆଡେ କହନ୍ତି ତାଙ୍କର କେହି କିଛି କରିପାରିବେ ନାହିଁ , ତାଙ୍କର କାହାକୁ ଭୟ ନାହିଁ ।

Leave a Reply