ନନ୍ଦିଘୋଷ ବ୍ୟୁରୋ : IPL ବେଟିଂ ଚାଲିଥିବାବେଳେ ମାଡ଼ି ବସିଲା ପୋଲିସ । ୮ ଜଣ ଅଭିଯୁକ୍ତ ଗିରଫ । ୫ ଲକ୍ଷ ୯ ହଜାର ୧୦୦ ନଗଦ ଟଙ୍କା ଜବତ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକ ଏବଂ ରାମପୁର ଅଂଚଳର ଭଡ଼ାଘରେ ଅନଲାଇନ ମଧ୍ୟମରେ IPL ବେଟିଂ ଚାଲିଥିବାବେଳେ ଚଢ଼ାଉ କରିଥିଲା ପୋଲିସ । ଅତର୍କିତ ଭାବରେ ବ୍ରଜରାଜନଗର ପୋଲିସର ଦୁଇଟି ଟିମ ଚଢ଼ାଉ କରି ୮ ଜଣ ଅଭିଯୁକ୍ତ ଗିରଫ କରିଛି । ସେମାନଙ୍କ ନିକଟରୁ ୫ ଲକ୍ଷ ୯ ହଜାର ୧୦୦ ଟଙ୍କା ଜବତ କରିଛି l ଏହାସହ ଅନଲାଇନରେ ୩ ଲକ୍ଷ ୭୦ ହଜାର ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଫ୍ରିଜ କରିଛି ପୋଲିସ l ୨ ଟି ଲ୍ଯାପଟପ, ୪୧ ଟି ମୋବାଇଲ, ଦୁଇଟି କାର ଜବତ କରିଛି ପୋଲିସ l ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ବୁକି ସୁନ୍ଦରଗଡ଼ ରାଜଗାଙ୍ଗପୁରର ରାହୁଲ ସାହୁ ଓ ସ୍ଥାନୀୟ ଅଂଚଳର ଗୋବିନ୍ଦ ଦାସ ମହନ୍ତ, ଆକାଶ ଶ୍ରୀବାସ୍ତବ, ବିଶାଲ କୁମାର ରବି, ଭୀମ କୁମାର ରାମ, ମନୁ ସିଂ, ଶଙ୍କର ପ୍ରସାଦ ରାମ, ରାଜୀବ କୁମାର l ତେବେ ଏହାର ମାଷ୍ଟର ମାଇଣ୍ଡ କିଏ ସେନେଇ ତଦନ୍ତ ଚଲାଇଛି ପୋଲିସ l IPL ବେଟିଂ ପାଇଁ କ୍ରିକେଟ ଲାଇଭ ଆପର ଦୁର୍ବ୍ୟବହାର କରୁଛନ୍ତି ଅଭିଯୁକ୍ତମାନେ l ଲୋକଙ୍କୁ ଅଳ୍ପ ସମୟରେ ଅଧିକ ଅର୍ଥ ରୋଜଗାରର ପ୍ରଲୋଭନ ଦେଖାଇ ଅନଲାଇନ IPL ବେଟିଂ କାରବାର ଚଳାଉଛନ୍ତି l ଖୁବଶୀଘ୍ର ମାଷ୍ଟର ମାଇଣ୍ଡକୁ ଗିରଫ କରାଯିବ ବୋଲି ଝାରସୁଗୁଡା ଏସପି ଜି ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି l

