ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ସପ୍ଲାୟର ଗିରଫ

ନନ୍ଦିଘୋଷ ବ୍ୟୁରୋ : ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ସପ୍ଲାୟର ଗିରଫ । ଛତିଶଗଡ ନାରାୟଣପୁର ଥାନା ଅଞ୍ଚଳରେ ମାଓ କାର୍ଯ୍ୟକଳାପ ରୋକିବା ପାଇଁ ଖୋଳତାଳ ଜାରି ରହିଥିବା ବେଳେ ଏହି ସଫଳତା ମିଳିଛି । ମାଓ ସପ୍ଲାୟରକୁ ଧରିଛନ୍ତି ଯବାନ ଓ ପୋଲିସର ମିଳିତ ଟିମ୍ । ନକ୍ସଲମାନଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର, କାର୍ଟ୍ରିଜ୍, ଗୁଳି ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ କରୁଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଗିରଫ ପାଇଁ ଅନେକ ଦିନ ଧରି ଅଭିଯାନ ଜାରି ରହିଥିଲା । ନାରାୟଣପୁର ପୋଲିସ ନାକାବନ୍ଦୀ କରି କୁତୁଲ ରାସ୍ତାରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ପଚରାଉଚରା ସମୟରେ ବ୍ୟକ୍ତିର ନାଁ ପ୍ରକାଶ ସୋନି ବୋଲି କହିବା ସହ ତା ନିକଟରୁ ପ୍ରାୟ ୩ ମିଟର କର୍ଡେକ୍ସ ତାର, ବିଦ୍ୟୁତ୍ ତାର, ସ୍କାନର (ୱାକି ଟକି), ୨୦ ରାଉଣ୍ଡ ଗୁଳି, ୩ ଡିଟୋନେଟର ଜବତ କରାଯାଇଥିଲା । ଯାହାକୁ ନକ୍ସଲମାନଙ୍କୁ ଯୋଗାଣ ପାଇଁ ରଖାଯାଇଥିଲା ବୋଲି ବ୍ୟକ୍ତି ଜଣକ ସ୍ୱୀକାର କରିଛନ୍ତି । ଏନେଇ ଏକ ମାମଲା ରୁଜୁ କରାଯାଇ ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।