ପୋଲିସ SI ମହାକେଳେଙ୍କାରୀ ମାମଲା : ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ବୁଲୁଛି ଗାଡ଼ି
1 min read
ନନ୍ଦିଘୋଷ ବ୍ୟୁରୋ : ଏସଆଇ ପରୀକ୍ଷା ମହା ଦୁର୍ନୀତିର ଅନ୍ୟତମ ମୁଖ୍ୟ କାର୍ପଟଦାର କୁହାଯାଉଥିବା ଶଙ୍କର ପୃଷ୍ଟି ଫେରାର ହୋଇଯାଇଛି ବୋଲି କୁହାଯାଉଛି। କିନ୍ତୁ ଶଙ୍କର ପୃଷ୍ଟି ଦୁଇଦିନ ତଳେ ଭୁବନେଶ୍ବର ରାଜରାସ୍ତାରେ ବୁଲୁଥିଲା ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହି ଗାଡ଼ିକୁ ଦେଖନ୍ତୁ । ଏହାର ନମ୍ବର ହେଉଛି OD-07-AU-9777। ଏହି ଗାଡ଼ି ରହିଛି ଶଙ୍କର ପୃଷ୍ଟି ନାଁରେ। ଶଙ୍କର ପୃଷ୍ଟିର ସଂପୂର୍ଣ୍ଣ ଠିକଣା ମଧ୍ୟ ଗାଡି ସୂଚନାରେ ସ୍ପଷ୍ଟ ଲେଖାଯାଇଛି।
ଶଙ୍କର ପୃଷ୍ଟି ହେଉଛି ପଞ୍ଚସଫ୍ଟର ମାଲିକ। ଏସଆଇ ପରୀକ୍ଷା ମହାଦୁର୍ନୀତିରେ ପଞ୍ଚସଫ୍ଟ ସଂସ୍ଥାର ପ୍ରମୁଖ ଭୂମିକା ଥିବା କୁହାଯାଉଛି। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଗୁଜରାଟ ଆଇଟିଆଇକୁ ଦାୟିତ୍ବ ଦେଇଥିଲା। ତାପରେ ଏହି ଦାୟିତ୍ବ ସିଲିକନ ଟେକ୍ ଲାବକୁ ମିଳିଥିଲା । ସିଲିକନ ଟେକ୍ ଲାବ୍ ଏହି ଦାୟିତ୍ବ ପଞ୍ଚ ସଫ୍ଟକୁ ସବଲେଟିଙ୍ଗ୍ କରିଥିଲା । ଶଙ୍କର ପୃଷ୍ଟିର ଘର ଗଞ୍ଜାମ ଜିଲ୍ଲାର ହିଞ୍ଜଳିକାଟୁ ନିକଟସ୍ଥ ବ୍ରାହ୍ମଣସାହି ଗ୍ରାମରେ। ବ୍ରହ୍ମପୁରରେ ମଧ୍ୟ ଶଙ୍କର ପୃଷ୍ଟିର ଘର ରହିଛି। କିନ୍ତୁ ସେହି ଘରେ ତାଲା ପଡ଼ିଛି।
ଶଙ୍କର ପୃଷ୍ଟି ସଂପର୍କରେ ଆଉ ଏକ ସାଂଘାତିକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଜଣେ ବ୍ୟକ୍ତି ସହ ଶଙ୍କର ପୃଷ୍ଟିର ଘନିଷ୍ଠତା ରହିଛି। ମହାରାଷ୍ଟ୍ରର ଏହି ବ୍ୟକ୍ତିଙ୍କର ରାଜ୍ୟ ସରକାରରେ ବିଶେଷ ପ୍ରଭାବ ରହିଛି। ମାଇନ୍ସ ଟେଣ୍ଡରରୁ ଆରମ୍ଭ କରି ବିଭିନ୍ନ କେଳେଙ୍କାରୀରେ ଏହି ବ୍ୟକ୍ତି ଜଣଙ୍କର ସଂପୃକ୍ତି ରହିଛି। ସେ ହିଁ ଶଙ୍କର ପୃଷ୍ଟିକୁ ନେଇ ରାଜ୍ୟ ସରକାରର ବଡ଼ବଡ଼ିଆଙ୍କ ସହ ସାକ୍ଷାତ କରାଇବା ସହ ମଧ୍ୟସ୍ଥତା କରିଥିବା ଆଲୋଚନା ହେଉଛି। ଏହି ମରାଠୀ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କଲେ ବହୁ ତଥ୍ୟ ପଦାକୁ ଆସିବ। ଏହି ବ୍ୟକ୍ତିଙ୍କ ଜରିଆରେ ଶଙ୍କର ପୃଷ୍ଟି ମହାରାଷ୍ଟ୍ରରେ ମଧ୍ୟ ଘର କିଣିଥିବା ଜଣାପଡ଼ିଛି।