ଉଦଳା: ବାଲିମାଫିଆଙ୍କ ଦୌରାତ୍ମ୍ୟ। ମୟୂରଭଞ୍ଜ ଖୁଣ୍ଟା ଅଞ୍ଚଚଳରେ ବାଲିଘାଟରେ ପହଞ୍ଚି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସମୟରେ ଟ୍ରାକ୍ଟରକୁ ଖସାଇ ନେଲେ ମାଫିଆ। ଯାହା ପରେ ପୋଲିସକୁ ନାକେଦମ କରି ୨୦ କିଲୋମିଟର ବୁଲାଇଲେ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ଚିଲିମା ଗାଁରେ। ନଦୀରୁ ବେଆଇନ ବାଲି ଉତ୍ତୋଳନ ଖବର ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବେନିୟମ ଭାବେ ଚୋରା ଚାଲାଣ ପାଇଁ ବାଲି ବୋଝେଇ ଥିବା ଟ୍ରାକ୍ଟରକୁ ଜବତ କରିଥିଲେ।ଗାଡିଟିକୁ ଜବତ କରିବା ପରେ ବାଲି ମାଫିଆ ତଥା ଟ୍ରାକ୍ଟର ମାଲିକ ପହଞ୍ଚି ଟ୍ରାକ୍ଟର ସାଇଡ କରିବା ବାହାନାରେ ବାଲି ବୋଝେଇ ଟ୍ରାକ୍ଟର ନେଇ ଚମ୍ପଟ ମାରିଥିଲେ। ଯାହାକୁ ପୋଲିସ ପିଛା କରିଥିବା ବେଳେ ବାଲି ମାଫିଆ ପୋଲିସକୁ ପ୍ରାୟ ୨୦ କିଲୋମିଟରରୁ ଅଧିକ ରାସ୍ତା ବୁଲାଇଥିଲେ। ଗୋଟିଏ ଗାଁରୁ ଅନ୍ୟ ଗାଁ ପଶିବା ସହିତ ଵିଲ ରାସ୍ତା ଦେଇ ଗାଡି ନେଇ ଖସି ଯିବାକୁ ଚେଷ୍ଟା କରିଥିଲେ। ପୋଲିସକୁ ୨୦ କିଲୋମିଟରରୁ ଅଧିକ ରାସ୍ତା ନାକେଦମ କରି ଚକା ଭଉଁରୀ ବୁଲାଇବା ପରେ ଶେଷରେ ସେହି ଚିଲିମା ଗ୍ରାମ ନିକଟରେ ପୋଲିସ ହାବୁଡ଼ରେ ପଡିବା ଡରରେ ମାଫିଆ ଟ୍ରାକ୍ଟର ଛାଡି ଫେରାର ହୋଇଯାଇଥିଲା। ଯାହା ପରେ ପୋଲିସ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଛି। ହେଲେ ଟ୍ରାକ୍ଟର ର କୌଣସି ନମ୍ବର ନାହିଁ ଅର୍ଥାତ ଟ୍ରାକ୍ଟର ଟି ବିନା ନମ୍ବରରେ ଚାଲୁଥିଲା।

