ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ବୁଥ ଅଭିମୁଖେ ପୋଲିଂ ପାର୍ଟିଂ

ନନ୍ଦିଘୋଷ ବ୍ୟୁରୋ: ସୋମବାର ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ବୁଥ ଅଭିମୁଖେ ଯାଉଛନ୍ତି ପୋଲିଂ ପାର୍ଟି । ରାଜ୍ଯର ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ହେବ ଭୋଟ୍ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୬୫ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ମହିଳା। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ଅଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ଅଛନ୍ତି । ମୋଟ ୯ ହଜାର ୧୬୨ଟି ବୁଥ ଥିବା ବେଳେ ୧ ହଜାର ୪୧ ବୁଥକୁ ମହିଳା ପୋଲିଂ କର୍ମଚାରୀ ଓ ୨୫ଟି ବୁଥକୁ ପିଡବ୍ଲୁଡି କର୍ମଚାରୀ ପରିଚାଳନା କରିବେ । ୧୫୪୧ ଆଦର୍ଶ ବୁଥ କରାଯାଇଥିବା ବେଳେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ ।  କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ଼ରେ ୧୬, ବଲାଙ୍ଗୀରରେ ୧୪, ବରଗଡ଼ରେ ୧୪, ଝାରସୁଗୁଡ଼ାରେ ୫ ଓ ବୌଦ୍ଧରେ ୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ।