EVMରେ ବନ୍ଦ ୧୬ଶହରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ, ଜାଣନ୍ତୁ କିଏ କ’ଣ କଲେ ଦାବି ?

1 min read

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୦୨ ଟି ଆସନରେ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୬୨.୩୭ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା  । ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁ, ଉତ୍ତରପ୍ରଦେଶ ସମେତ ୧୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଆସନରେ ଭୋଟ୍ ଗ୍ରହଣ ହୋଇଥିବାବେଳେ ୧୧ ଟି ରାଜ୍ୟର କେତେକ ଆସନରେ ଭୋଟ୍ ଗ୍ରହଣ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣରେ ଏନଡିଏକୁ ପୂର୍ଣ୍ଣ ସମର୍ଥନ ମିଳିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ସେ କହିଛନ୍ତି ଯେ ସମଗ୍ର ଦେଶରୁ ଭଲ ରେସପନ୍ସ ମିଳିଛି।

 

ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ X ରେ ଲେଖିଛନ୍ତି, ‘ଆଜିର ଭୋଟ୍ ଉପରେ ମୁଁ ବହୁତ ଭଲ ସମର୍ଥନ ପାଇଛି। ଏନଡିଏ ସମର୍ଥନରେ ଦେଶବାସୀ ରେକର୍ଡ ସଂଖ୍ୟାରେ ଭୋଟ୍ ଦେଇଛନ୍ତି। ସେପଟେ ଏକ ନିର୍ବାଚନ ସମାରୋହରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୟୁପିରେ ଦୁଇ ରାଜକୁମାରଙ୍କ ଫିଲ୍ମର ସୁଟିଂ ଚାଲିଛି, ଯାହା ପୂର୍ବରୁ ପ୍ରତ୍ୟାଖ୍ୟାନ ହୋଇସାରିଛି।

ଅନ୍ୟପକ୍ଷରେ INDIA ମେଣ୍ଟର ସହଯୋଗୀ ଅଖିଳେଶ ଯାଦବ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ବିଜୟ ଦାବି କରିଛନ୍ତି। ସପା ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ କହିଛନ୍ତି ଯେ ପ୍ରଥମ ସୋ’ରେ ବିଜେପି ଫ୍ଲପ୍ ହୋଇଛି। ବିଜେପିର ସବୁଠାରୁ ଖରାପ ପରାଜୟ ୟୁପିରୁ ଆରମ୍ଭ ହେବ। ଇଣ୍ଡିଆ ମେଣ୍ଟ ଓ ପିଡିଏର ଶକ୍ତି ଉତ୍ତରପ୍ରଦେଶରେ ଦୃଶ୍ୟମାନ ହେଉଛି।

 

ସେ X ରେ କହିଛନ୍ତି, ‘ବିଜେପିର ପ୍ରଥମ ଦିନ ପ୍ରଥମ ସୋ ଫ୍ଲପ୍ ହୋଇଛି। ବର୍ତ୍ତମାନ ଜନସାଧାରଣ ବିଜେପିର ଅଭିନୟ, କାହାଣୀ, ସଂଳାପକୁ ପସନ୍ଦ କରୁନାହାଁନ୍ତି। ବିଜେପିର ୱିଣ୍ଡୋ ଖାଲି ଅଛି। ଦେଶର ସଚେତନ ଲୋକଙ୍କୁ ସେମାନଙ୍କର ନୂତନ ଭବିଷ୍ୟତ ବାଛିବା ପାଇଁ ଅଭିନନ୍ଦନ ଏବଂ ସେହି ସମସ୍ତ ସମାଜର ନୂତନ ରାଜନୈତିକ ଚେତନାକୁ ଅଭିନନ୍ଦନ, ଯେଉଁମାନେ ଖୋଲାଖୋଲି ଭାବରେ ଇଣ୍ଡିଆ ଆଲାଇନ୍ସର ପ୍ରାର୍ଥୀଙ୍କୁ ସମର୍ଥନ କରି ଭୋଟ୍ ଦେଇଛନ୍ତି  । ପରମ୍ପରାକୁ ଭାଙ୍ଗି ସେମାନେ ନିରନ୍ତର ସମର୍ଥନ କରୁଛନ୍ତି। ଅଖିଳେଶ ଏହା ମଧ୍ୟ କହିଛନ୍ତି ଯେ ବିଜେପିର ଖରାପ ପରାଜୟ କେବଳ ୟୁପିରୁ ଆରମ୍ଭ ହେବ।

 

ବିହାରରେ କମ୍ ଭୋଟ୍ ସତ୍ତ୍ୱେ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଆରଜେଡିକୁ ନେଇଏକ ବଡ଼ ଦାବି କରିଛନ୍ତି। ସିହ୍ନା କହିଛନ୍ତି ଯେ ଭାରତୀୟ ମିଳିତ ମଞ୍ଚ ଏବଂ ଲଣ୍ଠନର ନିଆଁ ଶେଷ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଲଣ୍ଠନ କାଚ ଭାଙ୍ଗି ଯାଇଛି  । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଆପେ ଲିଭିଯିବ  । ସେପଟେ ଚିରାଗ ପାସୱାନ୍ ବିହାରରେ ଏନଡିଏର ବିଜୟ ଦାବି କରିଛନ୍ତି। ଅନ୍ୟପକ୍ଷରେ ଆରଜେଡି ନେତା ତେଜସ୍ୱୀ ଯାଦବ ଚାରିଟି ଆସନରେ ବିଜୟ ନିଶ୍ଚିତ ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ ଚାରିଟି ଆସନରେ ମହାମେଣ୍ଟ ସପକ୍ଷରେ ମତଦାନ ହୋଇଛି।

ଏଥି ସହିତ ରାଜସ୍ଥାନରେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ସିଏମ ଭଜନଲାଲ ଶର୍ମା କହିଛନ୍ତି ଯେ ରାଜସ୍ଥାନର ସମସ୍ତ ଆସନ ଜିତିବ ବିଜେପି। କେନ୍ଦ୍ର ମନ୍ତ୍ରୀ ତଥା ବିକାନେର ବିଜେପି ପ୍ରାର୍ଥୀ ଅର୍ଜୁନ ରାମ ମେଘୱାଲ ବିଜେପିର ବିଜୟ ଦାବି କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ସଚିନ ପାଇଲଟ ଦାବି କରିଛନ୍ତି ଯେ ଏଥର କଂଗ୍ରେସ ବିଜେପି ଅପେକ୍ଷା ଅଧିକ ଆସନ ଜିତିବ।