ପୀଡ଼ିତଙ୍କୁ ନ୍ୟାୟ ନାଁରେ ମିଡିଆ ଟ୍ରାଏଲ୍

Political Parties Using Media For Their Benefits

ଭୁବନେଶ୍ୱର: ରାଜ୍ୟରେ ସମସ୍ୟା ଅନେକ । ସମସ୍ୟାର ସମାଧାନ ଦିଗରେ ତତ୍ପର ସରକାର । କିପରି ରାଜ୍ୟର ଅଭିବୃଦ୍ଧି ଘଟିବ, ଲୋକଙ୍କ ଆର୍ଥିକ ସ୍ୱଚ୍ଛଳତା ବଢ଼ିବ ସେ ନେଇ ଯୋଜାନ ପରେ ଯୋଜନା କରୁଛନ୍ତି । ବିରୋଧୀଙ୍କୁ କିନ୍ତୁ ଏହା ଦିଶୁ ନାହିଁ । କିପରି ସରକାରଙ୍କୁ ବଦନାମ କରିବେ ସେ ନେଇ ଅହରହ ଚେଷ୍ଟା ଚଳାଇଛନ୍ତି । ମୁଖ୍ୟ ମୁଦ୍ଦାରୁ ଓହରି ଅଖବରକୁ ଖବରରେ ପରିଣତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । କିଛି ଗଣମାଧ୍ୟମ ମଧ୍ୟ କିଛି ନବୁଝି ନସୁଝି ମାତି ଉଠୁଛନ୍ତି । ଗଣମାଧ୍ୟମକୁ ଅସ୍ତ୍ର କରି ଗୋଟି ଚଳାଉଛନ୍ତି । ନିଜର ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ଲାଗି ମିଡିଆକୁ ମୋହରା କରୁଛନ୍ତି । ନିଜକୁ କୋର୍ଟ ଭାବି ରାୟ ଶୁଣାଉଛନ୍ତି ।

ଯାହା ନାମରେ ଅଭିଯୋଗ ହେଉଛି ତାକୁ ଆଗପଛ ନବିଚାରି ବାନ୍ଧିବାକୁ ଦାବି କରୁଛନ୍ତି । ଏଇ ନିକଟରେ ଘଟିଥିବା ରାଜ୍ୟର କିଛି ସମ୍ବେଦନଶୀଳ ଘଟଣାକୁ ନେଇ ବିରୋଧୀ ଏବେ ସରକାରଙ୍କୁ କାଠଗଡ଼ାକୁ ଟାଣିବାକୁ ଚେଷ୍ଟା କରୁଛନ୍ତି । ନିଜ ଢଙ୍ଗରେ ମୋଡ଼ିବା ଲାଗି ଅପଚେଷ୍ଟା କରୁଛନ୍ତି । ଥାନା, ବିଚାର ବିଭାଗ ଉପରୁ ଲୋକଙ୍କ ବିଶ୍ୱାସ ତୁଟାଇବା ଲାଗି ଷଡ଼ଯନ୍ତ୍ର କରୁଛନ୍ତି । ପରୀ ପ୍ରସଙ୍ଗରେ କିଛି ଦିନ ଗର୍ଜିବା ପରେ କ୍ରାଇମବ୍ରାଞ୍ଚ ସତ ପଦାକୁ ଆଣିଥିଲା । ତାପରେ ବିରୋଧୀ ଚୁପ୍ । ଏହାପରେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାଠାରୁ ଆରମ୍ଭ କରି ଯାଜପୁର ପିହୁ ଅପରହରଣ, ବେଗୁନିଆ ମାନବବାଦୀ ସଂଗଠନ ମୁଖିଆଙ୍କୁ ବିନା ଦୋଷରେ ଟାର୍ଗେଟ କରିବା ଏବେ ବିରୋଧୀଙ୍କ ଫ୍ୟାସନ ପାଲଟିଗଲାଣି । ଆଇନପ୍ରତି ଥିବା ଲୋକଙ୍କ ବିଶ୍ୱାସ ଭାଙ୍ଗିବାକୁ ଗୋଟି ଚଲାଉଛନ୍ତି ବିରୋଧୀ । ଅଭିଯୋଗକାରୀଙ୍କୁ ମୋହରା ସଜେଇ ବିନା ଦୋଷରେ ଗିରଫ କରିବାକୁ ଫମ୍ପା ବୟାନବାଜି କରୁଛନ୍ତି ।

ଅଭିଯୋଗକାରୀ ବ୍ୟବସ୍ଥା ଉପରେ ଭରସା ରଖି କିପରି ନ୍ୟାୟ ପାଇବେ ସେନେଇ ଉଦ୍ୟମ କରୁନାହାଁନ୍ତି । ବରଂ ଏହାକୁ ପ୍ରସଙ୍ଗ କରି ବିଧାନସଭା ଭଳି ପବିତ୍ର ଗୃହକୁ ଚଳାଇ ନଦେବାକୁ ପ୍ଲାନ ତିଆରି ହେଉଛି । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ଓ ସମଭାବାପନ୍ନ ସଂଗଠନ ଗୁଡ଼ିକର ଏପରି ସ୍ୱାର୍ଥପର ମନୋବୃତ୍ତିକୁ ନେଇ ବୁଦ୍ଧିଜୀବୀ ତାଜୁବ । ପୋଲିସ କାହାକୁ ଆଖିବୁଜା ବାନ୍ଧି ପାରିବ ନାହିଁ । ସେଥିପାଇଁ କୋର୍ଟ କଚେରୀ ରହିଛି । ଯେକୌଣସି ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୈତିକ ଗୋଟି ଭାବେ ବ୍ୟବହାର କଲେ ସମ୍ପୃକ୍ତ ଦଳ ବା ନେତାଙ୍କ କାମ ହାସଲ ହୋଇପାରେ ହେଲେ ପୀଡ଼ିତ କି ଅଭିଯୋଗକାରୀ ନ୍ୟାୟ ପାଇବେ ତ ?

Leave a Reply