ଡ୍ରାଇଭର ଆନ୍ଦୋଳନ ରାଜନୀତି: କଂଗ୍ରେସର ଅଭିଯୋଗ, ରାହୁଲଙ୍କ ଗସ୍ତକୁ ଭଣ୍ଡୁର କରିବାକୁ ଷଡଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ଡ୍ରାଇଭର ଆନ୍ଦୋଳନକୁ ନେଇ ସରକାର କୌଣସି ସମାଧାନର ପନ୍ଥା ବାହାର କରୁନାହାଁନ୍ତି । ଏହାକୁ ନେଇ ବର୍ଷିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାରଙ୍କ ଏହା ଷଡଯନ୍ତ୍ର । ଜାଣିଶୁଣି ଡ୍ରାଇଭର ମହାସଂଘର ଦାବି ପୂରଣ କରୁନାହାନ୍ତି ସରକାର । ଡ୍ରାଇଭର ସଂଘ ବିଜେପି ସରକାରର ଷଡଯନ୍ତ୍ରର ଶିକାର ନହେବାକୁ ଅପିଲ କରିଛନ୍ତି ଭକ୍ତ ।
ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ସମ୍ବିଧାନ ବଞ୍ଚାଅ ଆନ୍ଦୋଳନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେବ । ଏନେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଯୋଗଦେବେ । ହେଲେ ଡ୍ରାଇଭରଙ୍କ ଦାବି ପୂରଣ ନକରି କଂଗ୍ରେସର ସଭାକୁ ଲୋକ କେମିତି ନଆସିବେ ସେ ନେଇ ବିଜେପି ସରକାର ଷଡଯନ୍ତ୍ର କରୁଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ଭକ୍ତ । ତେଣୁ ଆଜି ସଂଧ୍ୟା ସୁଦ୍ଧା ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବାକୁ କହିଛନ୍ତି ଭକ୍ତ ।
ଏହାସହ ଡ୍ରାଇଭର ସଙ୍ଘକୁ ପିସିସି ସଭାପତି ଭକ୍ତ ଦାସ ଅପିଲ କରିଛନ୍ତି । ଆସନ୍ତାକାଲି ଡ୍ରାଇଭର ସଂଘ ଆନ୍ଦୋଳନ କରନ୍ତୁ, କିନ୍ତୁ କଂଗ୍ରେସ ସମାବେଶକୁ ଆସୁଥିବା ଗାଡ଼ିକୁ ଡ୍ରାଇଭର ସଙ୍ଘ ଛାଡ଼ୁ । ୩ ଦିନ ହେବ ଆମେ ଡ୍ରାଇଭର ସଙ୍ଘର ଦାବିକୁ ସମର୍ଥନ କରୁଛୁ । ସେମାନେ ବିଜେପି ଷଡଯନ୍ତ୍ରର ଶିକାର ନହୋଇ କଂଗ୍ରେସକୁ ସହଯୋଗ କରନ୍ତୁ । ଡ୍ରାଇଭର ସଂଘ ଆମକୁ ସହଯୋଗ କଲେ, ଆମେ ତାଙ୍କ ପାଇଁ ଲଢ଼େଇ ଜୋରଦାର କରିବୁ ବୋଲି କହିଛନ୍ତି ଭକ୍ତ ।
ସେହିପରି ଡ୍ରାଇଭର ଆନ୍ଦୋଳନକୁ ସମର୍ଥନ ଜଣାଇ ଆସୁଥିବା ବିରୋଧୀ ବିଜେଡି ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିରୋଧୀରେ ଥିବା ବେଳେ ମୋହନ ମାଝୀ ଡ୍ରାଇଭରଙ୍କ ଆନ୍ଦୋଳନକୁ ସମର୍ଥନ କରି ସେମାନଙ୍କ ଦାବିକୁ ଯଥାର୍ଥ କହୁଥିଲେ । ଏବେ ସରକାରକୁ ଆସିଲେ । ସେମାନଙ୍କ ଦାବି ପୂରଣ କରନ୍ତୁ । ଯାହା ବିରୋଧୀରେ ଥିବାବେଳେ କହିଥିଲେ, ତାହା ପୂରଣ କରନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ସେପଟେ ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି । ସରକାରଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି ବିରୋଧୀ । କଂଗ୍ରେସ ଏବେ ଯାଏଁ ଡ୍ରାଇଭର ମହାସଂଘକୁ ଆନ୍ଦୋଳନରୁ ଓହରିବାକୁ ଥରେ ହେଲେ ଅପିଲ କରିନାହିଁ । କଂଗ୍ରେସ କରୁଥିବା ଅଭିଯୋଗର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।