ବୃଦ୍ଧା ମିଲାପଙ୍କ ପାଇଁ ଉପହାସ ଆବାସ ଯୋଜନା: ୨୦ ବର୍ଷ ହେଲା ପଲିଥିନ ତଳେ ଗୁଞ୍ଜିଛନ୍ତି ମୁଣ୍ଡ
କଳାହାଣ୍ଡି: ଗରିବଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ସରକାର କରିଛନ୍ତି ଆବାସ ଯୋଜନା । ହେଲେ ପ’ଣ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି ଏହି ଯୋଜନା ? କ’ଣ ଗରିବ, ନିରାଶ୍ରୟ ଲୋକେ ଲୋକଙ୍କ ମୁଣ୍ଡ ଉପର ଛାତ ପାଲଟୁଛି ଏହି ଯୋଜନା ? ଆଜ୍ଞା ଆଦୌ ନୁହେଁ । କାରଣ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ କେତେ ପହଞ୍ଚୁଛି ତାହା କଳାହାଣ୍ଡି ଜିଲ୍ଲା ଜୟପାଟଣାର ୭୭ ବର୍ଷୀୟା ବୃଦ୍ଧା ମିଲାପ ବାଇଙ୍କ ପରିବାରକୁ ଦେଖିଲେ ଜାଣି ପାରିବେ । ବୟସର ଅପରାହ୍ନରେ ବି ମିଳି ପାରୁନି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ । ଶୀତ, କାକରରେ ଛିଣ୍ଡା ପଲିଥିନ ତଳେ କଟୁଛି ଜୀବନ । ଘର ଖଣ୍ଡିଏ ପାଇଁ ବାରମ୍ବାର ସରକାରୀ ଅଫିସକୁ ଧାଇଁ ଧାଇଁ ନିରାଶ ହୋଇଥିବା କରିଛନ୍ତି ଅଭିଯୋଗ ।
ଜୟପାଟଣା ସ୍ଥିତ ଆରଏମସି ପଡିଆରେ ଦୀର୍ଘ ୨୦ ବର୍ଷ ହେଲା ଛିଣ୍ଡା ଦଦରା ପଲିଥିନ ଟାଣି ମୁଣ୍ଡ ଗୁଞ୍ଜିଛନ୍ତି ମିଲାପ ବାଇଙ୍କ ୩ ପ୍ରାଣୀ କୁଟୁମ୍ବ । ଘର ଭିତରୁ ଚାହିଁଲେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖାଯାଉଛି । ହାଡଭଙ୍ଗା ଶୀତରେ ଏ ଛିଣ୍ଡା ପଲିଥିନ ତଳେ ରହିବା ଯେ କେତେ କଷ୍ଟ ତାହା ଏହି ଅଭାବୀ ପରିବାର ହିଁ ବୁଝିପାରିବ ।
ନୂଆପଡା ଜିଲ୍ଲା ମାଲପଡା ଗାଁର ମିଲାପ ବାଇ ୫୦ ବର୍ଷ ପୂର୍ବେ ତାଙ୍କ ସ୍ଵାମୀଙ୍କ ସହ ଆସି ଜୟପାଟଣାରେ ରହି ଆସୁଛନ୍ତି । ସ୍ଵାମୀ ଚାଲିଗଲା ପରେ ମିଲାପ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ଏବେ ବୃଦ୍ଧାଙ୍କ ସହିତ ତାଙ୍କର ନାତି ଓ ପୁଅ ରହୁଛନ୍ତି । ଘରଡିହ ଖଣ୍ଡେ ନଥିବାରୁ ସରକାରୀ ଘର ଖଣ୍ଡେ ମଧ୍ଯ ମିଳିପାରୁନାହିଁ । ଫଳରେ ଏମିତି କଷ୍ଟସାଧ୍ୟ ଜୀବନ କାଟୁଛନ୍ତି ଏହି ଅସହାୟ ପରିବାର । ସେପଟେ ସରକାରୀ ସହାୟତା କହିଲେ, ମିଲାପଙ୍କୁ ମିଳୁଛି ୫ କେଜି ଚାଉଳ ଓ ଏକ ହଜାର ଟଙ୍କା ଭତ୍ତା । ପୁଅ ଓ ନାତିଙ୍କ ଆଧାର କାର୍ଡ ଜୟପାଟଣା ସ୍ଥାୟୀ ବାସିନ୍ଦା ହିସାବରେ ହୋଇପାରୁ ନଥିବାରୁ ସେମାନଙ୍କୁ ଚାଉଳ ମିଳୁନାହିଁ । ଫଳରେ ୩ ପ୍ରାଣୀ କୁଟୁମ୍ବ ପାଇଁ ୫ କେଜି ଚାଉଳ ସମୁଦ୍ରକୁ ଶଙ୍ଖେ ଭଳି ହୋଉଛି । ସେପଟେ ବିଡିଓ କହିଲେ ରିପୋର୍ଟ ଆସିବା ପରେ ମିଲାପଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ।