ଆଉ ଶୁଭିବନି ତପୁଙ୍କ ସ୍ୱର, ଅଧରାତିରେ ବୁଜିଲେ ଆଖି

1 min read

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ । କରୋନାରୁ ସୁସ୍ଥ ପରେ ଫୁସଫୁସ ସଂକ୍ରମିତ ଥିଲେ ତପୁ । ଭୁବନେଶ୍ବରର ସମ୍‌ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି  ମୃତ୍ୟୁ ହୋଇଛି । ଆଧୁନିକ ଓଡ଼ିଆ ସଂଗୀତ ଜଗତରେ ଜଣାଶୁଣା ନାଁ ଥିଲେ ତପୁ ମିଶ୍ର । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍‌ ଗୀତ । । ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍‌ ସିଙ୍ଗର ଭାବେ ସେ ହାତେଇଛନ୍ତି ବହୁ ପ୍ରଶଂସା । ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଖିଥିଲେ ପାଦ ।

ପନ୍ଦର ବର୍ଷ ହୋଇଥିବା ବେଳେ ତପୁ ଆରମ୍ଭ କରିଥିଲେ କ୍ୟାରିଅର୍‌ । କଭର ସଙ୍ଗ୍‌ ହେଉ ଅବା ଷ୍ଟୁଡିଓ ଭର୍ସନ ପ୍ରତିଟି ଗୀତକୁ ସେ ମନ ଦେଇ ଗାଇଥାନ୍ତି । ରଙ୍ଗବତୀ ଗୀତର ଗୁରୁ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ଠାରୁ କ୍ଲାସିକାଲ ଗୀତ ଶିକ୍ଷା କରିଛନ୍ତି ତପୁ ମିଶ୍ର । ଏହାପରେ ବିଶିଷ୍ଟ ଗୀତିକାର, ନିର୍ଦ୍ଦେଶକ ସ୍ୱରୂପ ନାୟକ ତାଙ୍କୁ ଓଲିଉଡ୍‌ରେ ବ୍ରେକ ଦେଇଥିଲେ । ତାଙ୍କ ସହିତ ସେ କୋଲକାତା ଯାଇ ଅନେକ ଡବିଂ କରିଛନ୍ତି । ଫିଲ୍ମ କୁଳନନ୍ଦନରେ ସେ ପ୍ରଥମ ଗୀତ ଗାଇଥିଲେ ।

ଏଯୁଗର କୃଷ୍ଣ ସୁଦାମା, ମାତୃଶକ୍ତି, ଯେ ପାଞ୍ଚେ ପରମନ୍ଦ, ଆଇ ଲଭ୍‌ ୟୁ ଓ ଚକୋଲେଟ ଭଳି ବହୁ ଫିଲ୍ମରେ ସେ ହିଟ୍‌ ଗୀତ ଗାଇଛନ୍ତି । ଆଇ ଲଭ୍‌ ୟୁ ଫିଲ୍ମରେ ସେ ପାଇଥିଲେ ଢେରସାରା ପ୍ରଶଂସା । ଆରେ ନା  ।  ବଜାନା ବଂଶୀ, ଏହି ଗୀତ ତାଙ୍କୁ ଆଣିଦେଇଥିଲା ପ୍ଲେ-ବ୍ୟାକ୍‌ ସିଙ୍ଗରର ପ୍ରସିଦ୍ଧି । ସେ ସମ୍ବଲପୁରୀ ଭାଷାରେ ଅନେକ ଗୀତ ଗାଇଛନ୍ତି । କିଛି ଗୀତରେ ସେ ନିଜେ ନିର୍ଦ୍ଦେଶନା ବି ଦେଇଛନ୍ତି । ଚାରିଥର ରାଜ୍ୟ ପୁରସ୍କାର ପାଇଛନ୍ତି ତପୁ ମିଶ୍ର ।

Leave a Reply