spot_img

Latest Posts

ଓଡ଼ିଶାରେ ଉଦବେଗଜନକ ଭାବେ ବଢୁଛି ଜନସଂଖ୍ୟା: ବନ୍ଧ୍ୟାକରଣକୁ ଡରୁଛନ୍ତି ଉପକୂଳିଆ ପୁରୁଷ, ପଛୁଆ ଜିଲ୍ଲାରେ ପରିବାର ନିୟୋଜନ ସଫଳ

ଓଡ଼ିଶାରେ ଉଦବେଗଜନକ ଭାବେ ବଢୁଛି ଜନସଂଖ୍ୟା: ବନ୍ଧ୍ୟାକରଣକୁ ଡରୁଛନ୍ତି ଉପକୂଳିଆ ପୁରୁଷ, ପଛୁଆ ଜିଲ୍ଲାରେ ପରିବାର ନିୟୋଜନ ସଫଳ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ଅନିୟନ୍ତ୍ରିତ ଭାବେ ବଢ଼ୁଛି ଜନସଂଖ୍ୟା । ଏଥିପାଇଁ ଦାୟୀ ପୁରୁଷ । ଉପାନ୍ତ ନୁହେଁ ବରଂ ଊପକୂଳ ଓଡ଼ିଶାର ଲୋକ ଏଥିପାଇଁ ଅଧିକ ଦାୟୀ ବୋଲି ରିପୋର୍ଟ ହୋଇଛି । ଉପକୂଳ ଓଡ଼ିଶାର ପୁରୁଷମାନେ ବନ୍ଧ୍ୟାରକଣ କରିବାକୁ ପଛଘୁଞ୍ଚା ଦେଉଥିବାରୁ ଏପରି ସ୍ଥିତି ଉପୁଜିଛି । କୋରାପୁଟ ପରି ଆଦିବାସୀ ବହୁଳ ଜିଲ୍ଲାରେ ଅଧିକ ବନ୍ଧ୍ୟାକରଣ ହେଉଛି । ଅନ୍ଧ ବିଶ୍ବାସ, ସଚେତନତା ଅଭାବ ଓ ପୁରୁଷତ୍ବ ହରାଇବାର ଭ୍ରମ ଯୋଗୁଁ ପୁରୁଷମାନେ ବନ୍ଧ୍ୟାକରଣକୁ ଏଡ଼ାଇ ଯାଉଛନ୍ତି ।

ସଚେତନତା ନାହିଁ । ଅନ୍ଧ ବିଶ୍ବାସ, ପୁରୁଷତ୍ବ ହରାଇବା ଭୟ । ବିସ୍ଫୋରଣ ଆଡ଼କୁ ଗତି କରୁଛି ଓଡ଼ିଶାର ଜନସଂଖ୍ୟା । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ । ଜନସଂଖ୍ୟା ବୃଦ୍ଧି ପାଇଁ ଅଧିକ ଦାୟୀ ପୁରୁଷ । ଖାସ କରି ଉପକୂଳ ଓଡ଼ିଶାର ପୁରୁଷମାନେ ପରିବାର ନିୟୋଜନ ବଦଳରେ ପରିବାର ବୃଦ୍ଧି କରିବାରେ ଲାଗିଛନ୍ତି । ଏଥିପାଇଁ ସେମାନେ ବନ୍ଧ୍ୟାକରଣରୁ ଦୂରେଇ ରହୁଛନ୍ତି । ହେଲେ ପଛୁଆ ଜିଲ୍ଲାରେ ଅଧିକ ମାତ୍ରାରେ ପୁରୁଷ ବନ୍ଧ୍ୟାକରଣ ହେଉଛି । ରିପୋର୍ଟ କହୁଛି, କେବଳ କୋରାପୁଟରେ ୨୦୨୪-୨୫ ବର୍ଷରେ ୪୦୦ ପୁରୁଷଙ୍କର ବନ୍ଧ୍ୟାକରଣ କରାଯାଇଛି । ୨୦୨୪ରେ ରାଜ୍ୟରେ ୨୧୦୦ ଟାର୍ଗେଟ ଥିଲା । କିନ୍ତୁ ହୋଇଥିଲା ୧୭୯୨ ଜଣଙ୍କର ବନ୍ଧ୍ୟାକରଣ । ସେହିପରି ୨୦୨୨-୨୩ରେ ମହିଳା ବନ୍ଧ୍ୟାକରଣ ୯୨ ହଜାର ୯୧୫ ଥିବା ବେଳେ ପୁରୁଷ ବନ୍ଧ୍ୟାକରଣ ସଂଖ୍ୟା ଥିଲା ୧୫୬୯ । ୨୦୨୩-୨୪ରେ ମହିଳା ବନ୍ଧ୍ୟାକରଣ ସଂଖ୍ୟା ୮୦ ହଜାର ୪୦୩ ଥିବା ବେଳେ ପୁରୁଷ ବନ୍ଧ୍ୟାକରଣ ସଂଖ୍ୟା ଥିଲା ୧୭୯୨ । ଚଳିତବର୍ଷ ଏବେ ସୁଦ୍ଧା ୩୫ ହଜାର ମହିଳା ବନ୍ଧ୍ୟାକରଣ କରିଛନ୍ତି । ମହିଳାଙ୍କ ତୁଳନାରେ ପୁରୁଷ ବନ୍ଧ୍ୟାକରଣ ସଂଖ୍ୟା ମାତ୍ର ୮୦୦ରେ ସୀମିତ ରହିଛି ।

ଫ୍ୟାମିଲି ପ୍ଲାନିଂ କଥା ଆସିଲେ ପ୍ରଥମେ ମହିଳାଙ୍କ କଥା ସାମ୍ନାକୁ ଆସେ । ହେଲେ ଏଥିରେ ପୁରୁଷଙ୍କର ମଧ୍ୟ ଗୁରୁଦାୟିତ୍ବ ରହିଛି । ପୁରୁଷମାନେ ପରିବାର ନିୟୋଜନ ପାଇଁ ଅସ୍ତ୍ରୋପଚାର କରିବାକୁ ଆଗେଇ ଆସୁନାହାନ୍ତି । ଏଥିପାଇଁ ସଚେତନତା ଆବଶ୍ୟକ । ଅନେକ ପୁରୁଷଙ୍କ ଭିତରେ ଅନ୍ଧବିଶ୍ବାସ ବି ରହିଛି । ସେମାନେ ଭାବନ୍ତି ଯେ ବନ୍ଧ୍ୟାକରଣ କଲେ ନପୁଂସକ ହୋଇ ପୁରୁଷତ୍ବ ହରାଇ ବସିବେ । ଯାହା ସତ ନୁହେଁ ।

୧୯୫୧ରେ ଭୁବନେଶ୍ବରର ଜନସଂଖ୍ୟା ଥିଲା ୧୬ ହଜାର ୫୧୨ । ୧୯୯୧ ସୁଦ୍ଧା ୪ ଲକ୍ଷ ୧୧ ହଜାରରେ ପହଞ୍ଚିଗଲା । ୨୦୩୦ ସୁଦ୍ଧା ଏହା ୧୫ ଲକ୍ଷ ଓ ୨୦୫୦ ସୁଦ୍ଧା ଭୁବନେଶ୍ବର ସହରରେ ୩୦ ଲକ୍ଷ ଲୋକ ବସବାସ କରିବା ନେଇ ନ୍ୟାସନାଲ କାଉନସିଲ ଅଫ ଆପ୍ଲାଇଡ ରିସର୍ଚ୍ଚ ଓ ନାଇଜର ମିଳିତ ଭାବେ ରିପୋର୍ଟ ପ୍ରକାଶ କରିଛନ୍ତି । ଏପରି ସ୍ଥିତିରେ ପୁରୁଷ ସଚେତନ ନ ହେଲେ ଜନସଂଖ୍ୟା ବିସ୍ଫୋରକ ସ୍ଥିତି ଆଡ଼କୁ ଯିବ ବୋଲି ଆଶଙ୍କା କରାଯାଇଛି ।

Latest Posts

Don't Miss