ରାଜ୍ୟରେ ପୋଷ୍ଟାଲ ବ୍ୟବସ୍ଥା ଠପ୍: ସ୍ଲୋ ହୋଇଯାଇଛି ସ୍ପିଡ ପୋଷ୍ଟ, ନା ଚିଠି ଯାଇଛି ନା ଆସୁଛି

ନନ୍ଦିଘୋଷ ବ୍ୟୁରୋ: ଜିପିଓରେ ଲାଗିଛି ଲମ୍ବା ଲାଇନ । ବରିଷ୍ଠଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ, ମହିଳା ସମସ୍ତେ ଗରମରେ ହେଉଛନ୍ତି ଛଟପଟ । କାହାର ବ୍ୟାଙ୍କ କାଗଜପତ୍ର ଦେବାର ଅଛି ତ କାହାର ସ୍ପିଡପୋଷ୍ଟ ପଠାଇବାର ଶେଷ ତାରିଖ । ପୁଣି କିଏ କିଏ ଦୂରଦୂରାନ୍ତକୁ ରାକ୍ଷୀ ପଠାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଛନ୍ତି । ଧାଡି ସିନା ଲମ୍ବୁଛି, କାମ କିନ୍ତୁ ହେଉନାହିଁ । ନୂଆ ସଫ୍ଟୱେର ଅପଡେଟ ଯୋଗୁଁ ପୋଷ୍ଟ ଅଫିସ ଗୁଡିକରେ କୌଣସି କାମ ହୋଇପାରୁ ନଥିବାରୁ ତିନି ଦିନରୁ ଅଧିକ ହେବ ଏଭଳି ଅବସ୍ଥା ଲାଗି ରହିଛି । ଯାହାକୁ ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ନୂଆ ସଫ୍ଟୱେର ଅପଡେଟ ଯୋଗୁଁ ପୋଷ୍ଟ ଅଫିସ ଗୁଡିକରେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି । ତିନି ଦିନରୁ ଅଧିକ ହେଲାଣି ସଫ୍ଟୱେର ଅପଡେଟ ନାଁରେ ବ୍ୟବସ୍ଥା କାମ କରୁ ନଥିବା ବେଳେ ହଜାର ହଜାର ଲୋକେ ଧାଡିରେ ଛିଡା ହୋଇଛନ୍ତି । ଛୋଟ ଛୋଟ ପୋଷ୍ଟ ଅଫିସ ସମେତ ଜିପିଓରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । କୌଣସି ସେକ୍ସନରେ ଲଗଇନ ହୋଇପାରୁ ନ ଥିବାରୁ ପୋଷ୍ଟାଲ ବ୍ୟବସ୍ଥାରେ କୌଣସି କାର୍ଯ୍ୟ ହୋଇପାରୁ ନାହିଁ । ଏପଟେ ଲୋକଙ୍କ ଅଧିକ ନୟାନ୍ତ କରିଛି ପ୍ରବଳ ଗୁଳୁଗୁଳି ଓ ଗରମ । ଏଭଳି ଅବ୍ୟବସ୍ଥାକୁ ନେଇ ବୟସ୍କ ବ୍ୟକ୍ତି ବିଶେଷ ଓ ମହିଳାମାନେ ନିଜର ଅସନ୍ତୋଷ ଝାଡିଛନ୍ତ ।
ପୋଷ୍ଟାଲ ବ୍ୟବସ୍ଥାରେ ନୂଆ ସଫ୍ଟୱେର ଲାଗୁ ହୋଇଥିବାରୁ କୌଣସି ସିଷ୍ଟମରେ ଲଗଇନ ହୋଇପାରୁ ନାହିଁ । ଶନିବାରଠାରୁ ଏଭଳି ସମସ୍ୟା ଲାଗି ରହିଛି । ଏନେଇ ଜିପିଓର ବିଭିନ୍ନ ସ୍ଥାନରେ ନୋଟିସ ମାରି କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ସାରି ଦେଇଥିବା ଅଭିଯୋଗ ହୋଇଛି । ପ୍ରାୟ ସମସ୍ତ ପୋଷ୍ଟ ଅଫିସରେ ଏଭଳି ସ୍ଥିତି ଉପୁଜିଥିବା କୁହାଯାଇଛି । ଏଭଳି ସ୍ଥିତି ପାଇଁ ଜିପିଓ ଅଧିକାରୀ ଅସହାୟତା ପ୍ରକାଶ କରିଛନ୍ତି ।
ସଫ୍ଟୱେର ଅପଡେଟ ସମ୍ପର୍କରେ ଲୋକଙ୍କୁ ବ୍ୟାପକ ଭାବେ ଅବଗତ କରାଯାଇ ନଥିବା ବେଳେ ପୋଷ୍ଟାଲ ସେବା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇ ନଥିଲା । ଯେଉଁଥିପାଇଁ ଲୋକେ ନାହିଁ ନ ଥିବା ହଇରାଣ ହୋଇଛନ୍ତି ।