ନନ୍ଦିଘୋଷ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧରେ ଘଟିପାରେ ଅନ୍ତ। ଆମେରିକାର ଶାନ୍ତି ପ୍ରସ୍ତାବ ସଂକ୍ରାନ୍ତ ଏକ ଚିଠାକୁ ଗ୍ରହଣ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ମସ୍କୋ ସହ ସମନ୍ବୟ ରକ୍ଷା କରି ଯୁଦ୍ଧର ଅନ୍ତ ଘଟାଇବା ଲାଗି ଏହି ଚିଠାରେ ଉଲ୍ଲେଖ ରହିଛି। ପ୍ରାୟ ୪ ବର୍ଷର ଯୁଦ୍ଧର ଅନ୍ତ ଘଟାଇବା ଲାଗି ୟୁକ୍ରେନକୁ କିଛି ତ୍ୟାଗ କରିବାକୁ ଏହି ଚିଠାରେ ପ୍ରସ୍ତାବ ରହିଛି। କିବ୍ ନିକଟକୁ ଆମେରିକା ପକ୍ଷରୁ ପଠାଯାଇଛି ଷେ ୨୮ ସୂତ୍ରୀ ପ୍ରସ୍ତାବ। ୟୁକ୍ରେନର ପୂର୍ବ ଦିଗର କିଛି ସୀମା ଅଞ୍ଚଳକୁ ରୁଷ ହାତରେ ଅର୍ପଣ କରିବା ଏବଂ ସଶସ୍ତ୍ର ବାହିନୀର ଆକାର ଓ ସାମର୍ଥ୍ୟକୁ ସୀମିତ କରିବା ଲାଗି ପ୍ରସ୍ତାବରେ ଉଲ୍ଲେଖ ରହିଛି। ଯଦିଓ ଏହି ପ୍ରସ୍ତାବକୁ ଜେଲେନସ୍କି ଅଗ୍ରାହ୍ୟ କିମ୍ବା ମାନିବା ଲାଗି କିଛି ପ୍ରକାଶ କରି ନାହାନ୍ତି ତଥାପି ଚିଠା ପ୍ରସ୍ତାବ ସମ୍ପର୍କରେ ବିଚାର କରିବେ ବୋଲି ସୂଚନା ମିଳିଛି। ଜେଲେନସ୍କିଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିଛନ୍ତି ଆମେରିକା ଓ ୟୁରୋପୀୟ ରାଷ୍ଟ୍ରସଂଘ। ଏହି ଚିଠା ପ୍ରସ୍ତାବ ସମ୍ପର୍କରେ ଖୁବ୍ ଶୀଘ୍ର ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ଜେଲେନସ୍କି ଆଲୋଚନା କରିବେ ବୋଲି ସୂଚନା ମିଳିଛି। ପୂର୍ବରୁ ଆମେରିକା ସେନା ସଚିବ ଦାନିଏଲ ଦ୍ରିସ୍କୋଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କିବ୍ ଗସ୍ତରେ ଯାଇ ଶାନ୍ତି ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ।

