ମାଟିଦୀପ ତିଆରିରେ ବ୍ୟସ୍ତ କୁମ୍ଭକାର: କୌଳିକ ବୃତ୍ତି ବଞ୍ଚାଇବାକୁ ପ୍ରୟାସ

ମାଟିଦୀପ ତିଆରିରେ ବ୍ୟସ୍ତ କୁମ୍ଭକାର। କୌଳିକ ବୃତ୍ତି ବଞ୍ଚାଇବାକୁ ପ୍ରୟାସ । ଛୋଟ ବଡ଼ ଦୀପ ଠାରୁ ଆରମ୍ଭ କରି ଆଳତୀ ଦୀପ ଯାଏଁ ଚାଲିଛି ପ୍ରସ୍ତୁତି । କୁମ୍ଭକାର ହାତରେ ବୁଲୁଛି ଚକୀ । ଆଉ ତିଆରି ହେଉଛି ବିଭିନ୍ନ ପ୍ରକାର ଦୀପ । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଓସ୍ତପୁର ଗାଁରେ । ଆଲୋକର ପର୍ବ ଦୀପାବଳି ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି । ଘରେ ଘରେ ଦୀପ ଜାଳି ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରାଯିବ । ଆଉ ଦି ‘ପଇସା ରୋଜଗାର ଆଶାରେ ଦୀପ କାରିଗର । ଗାଁରେ ଶହ ଶହ କୁମ୍ଭକାର ପରିବାର ନିଜର କୌଳିକ ବୃତ୍ତିରୁ ପରିବାର ପ୍ରତିପୋଷଣ କରନ୍ତି । ତେବେ ଅନ୍ଧାରକୁ ଦୂର ପାଇଁ ଦୀପ ଗଢ଼ୁଥିବା କାରିଗର ଏବେ ଅନ୍ଧାରରେ ।

ଦୀପ ତିଆରି ପାଇଁ ଦୀପାବଳୀର ଗୋଟିଏ ମାସ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ମାଟି ଆଣି ଭଲ ଭାବେ ଚକଟି ଚକୀରେ ପକାଇ ଦୀପ ତିଆରି କରନ୍ତି କାରିଗର । କଞ୍ଚାଦୀପକୁ ଶୁଖାଇବା ପରେ ନିଆଁରେ ପୋଡ଼ାଯାଏ । ଏହା ପରେ ବିଭିନ୍ନ ରଙ୍ଗରେ ସଜାଇ ବିକ୍ରି କରିଥାନ୍ତି । କିନ୍ତୁ ଆଧୁନିକ ଯୁଗରେ ବିଦ୍ୟୁତ ଲାଇଟର ବହୁଳ ବ୍ୟବହାର ଯୋଗୁଁ ଦୀପର ଚାହିଦା କମିଛି । ଦୀପ ବଦଳରେ ଲିଚୁ ଲାଇଟ ଓ ଚାଇନା ଲାଇଟକୁ ଲୋକେ ବେଶୀ ପସନ୍ଦ କରୁଛନ୍ତି । ଯାହାକୁ ନେଇ ଏବେ ଆଶା ଆଶଙ୍କାରେ ଦୀପ କାରିଗର। ସରକାରଙ୍କ ତରଫରୁ ସହାୟତା ମିଳିଲେ ନିଜ କୌଳିକ ବୃତ୍ତିକୁ ବଞ୍ଚାଇପାରନ୍ତେ ବୋଲି କହିଛନ୍ତି କାରିଗର । ଧୀରେ ଧୀରେ କୌଳିକ ବୃତ୍ତିରୁ ମୁହଁ ଫେରାଇବାକୁ ବସିଲେଣି କୁମ୍ଭକାର। ସରକାର ସହାୟତାର ହାତ ବଢ଼ାଇଲେ ଏମାନେ ଉପକୃତ ହୋଇପାରନ୍ତେ ।