ଓଡ଼ିଶାରେ କମିଛି ଗରିବୀ, ଅନୁକରଣ କରିବାକୁ ନୀତି ଆୟୋଗର ପରାମର୍ଶ

1 min read

ଭୁବନେଶ୍ୱର: ଏସଡିଜି ନମ୍ବର ଓ୍ବାନ୍ ଟାର୍ଗେଟ୍ ହଟାଅ ଗରିବୀ । ଟାର୍ଗେଟ ପୂରା କରିପାରିଛି ଓଡ଼ିଶା । ସୁପରହିଟ୍ ଓଡ଼ିଶା ମଡେଲ । ଅନ୍ୟ ରାଜ୍ୟଙ୍କୁ ଆପଣେଇବାକୁ ଖୋଦ ନୀତି ଆୟୋଗ ଦେଇଛି ପରାମର୍ଶ । ଦେଶ ଓ ରାଜ୍ୟରୁ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ସବୁ ସରକାରଙ୍କୁ ଦିଆଯାଇଛି ନିରନ୍ତର ବିକାଶ ଲକ୍ଷ୍ୟ- ଏସ୍ଡିଜି । ଯାହାକୁ ଓଡ଼ିଶା ପୂରା କରିପାରିଥିବାବେଳେ ରାଜ୍ୟରେ ଗରିବଙ୍କୁ ଭରପୂର ଖାଦ୍ୟ ସହିତ ବାସ ଓ ଭୂମିହୀନଙ୍କୁ ଜାଗା ମିଶନ ଜରିଆରେ ଭୂମି ପ୍ରଦାନ କରାଯାଉଛି । ସୁବିଧା, ପୁଷ୍ଟିକର ସୁଷମ ଖାଦ୍ୟ, ମାଗଣା ସ୍ବାସ୍ଥ୍ୟସେବା, ଗରିବ ପିଲାଙ୍କ ମୌଳିକ ଓ ଉଚ୍ଚତର ଶିକ୍ଷା ପାଇଁ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସ୍ଡିଜିର ପ୍ରଥମ ମାପକାଠି ପୂରା କରିଛନ୍ତି । ଏବେ ଓଡ଼ିଶା ମଡେଲ୍ ଯେପରି ଅନ୍ୟ ରାଜ୍ୟ ଆପଣାଇବେ, ସେଥିପାଇଁ ଖୋଦ ନୀତି ଆୟୋଗ ଦେଉଛନ୍ତି ପରାମର୍ଶ । ଓଡ଼ିଶା ମିଲେଟ୍ ମିଶନ, କୃଷିର ବିକାଶ, ମହିଳା ସଶକ୍ତୀକରଣ ପାଇଁ ମିଶନ ଶକ୍ତି, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଓ ବିପର୍ଯ୍ୟୟ ମୁକାବିଲାରେ ଜିରୋ କାଜୁଆଲଟି ବିଶ୍ବ ସମୁଦାୟଙ୍କ ଦୃଷ୍ଟି ଆକର୍ଷଣ କରିଛି । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଏସ୍ଡିଜି ମାନଦଣ୍ଡ ନେଇ ରିପୋର୍ଟକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ ।

ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ୧୭ଟି ଟାର୍ଗେଟ୍ ଧାର୍ଯ୍ୟ କରାଯାଇଛି । ୨୦୨୦ ମସିହାରୁ ଓଡ଼ିଶା ସରକାର ବାର୍ଷିକ ବଜେଟରେ ଏସ୍ଡିଜି ବଜେଟିଂ ଆରମ୍ଭ କରିଛନ୍ତି । ଏହାସହିତ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଓ ତଦାରଖ ପାଇଁ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ସ୍ବତନ୍ତ୍ର ଏସ୍ଡିଜି ସେଲ୍ ଖୋଲାଯାଇଛି । ନିରନ୍ତର ବିକାଶ ଲକ୍ଷ୍ୟ କିପରି ହାସଲ ହେବ ସେନେଇ ରାଜ୍ୟସ୍ତରରେ, ବିଭାଗ, ଜିଲ୍ଲା, ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଜନପ୍ରତିନିଧି ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଗରିବଙ୍କ ପାଇଁ କାର୍ଯ୍ୟକାରୀ ହୋଇଛି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା । କେନ୍ଦ୍ର ଉପରେ ନିର୍ଭର ନ କରି ସମସ୍ତ କଲ୍ୟାଣକାରୀ ଯୋଜନା କିପରି ଦୀର୍ଘ ବର୍ଷ ଧରି ଚାଲୁରହିବ ସେଥିପାଇଁ ରାଜ୍ୟ ସରକାର କରିଆସୁଛନ୍ତି ଆର୍ଥିକ ବ୍ୟବସ୍ଥା ।