ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ କୁଆଡୁ ଆସୁଥିଲା ଏତେ ଟଙ୍କା ? କିଏ ଦେଉଥିଲା ଓ କିଏ ନେଉଥିଲା ?

ଭୁବନେଶ୍ୱର: ଦଳରୁ ବହିଷ୍କାର ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜକୁ ସଚ୍ଚୋଟ ବୋଲି ପ୍ରମାଣ କରିବାକୁ ଗଣମାଧ୍ୟମରେ ଗଳାଫଟାଇ ଚିତ୍କାର କରିଆସୁଛନ୍ତ । କିନ୍ତୁ ତାଙ୍କ ଅସଲ ଚେହେରା ଧିରେ ଧିରେ ଖୋଲିବାରେ ଲାଗିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଆକାଶଙ୍କ ଆକାଉଣ୍ଟରେ ପ୍ରକୃତରେ ୮ କୋଟି ଥିଲେ ସେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଦୃଢତାର ସହିତ କହିଥିଲେ । କିନ୍ତୁ ଭିଜିଲାନ୍ସର ତଦନ୍ତ ପରେ ୮କୋଟି ବା ୧୨ କୋଟି ନୁହେଁ ବରଂ ୧୪ କୋଟି ୭୭ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରେ ଥିବା ଜଣାପଡିଛି ।

ଏଥିରେ ବେନାମୀ ଟ୍ରାଞ୍ଜାକ୍ସନ ଥିବା ଦର୍ଶାଇ ଏହାର ତଦନ୍ତ ଇଡି ଓ ଆୟକର ବିଭାଗ କରୁ ବୋଲି ଭିଜିଲାନ୍ସ ସୁପାରିସ କରିଛି । ଫଳରେ ପ୍ରଦୀପଙ୍କ ମୁହଁ ଟାଣ କୁଆଡେ ଗଲା ବୋଲି ପ୍ରଶ୍ନ ଉଠୁଛି । ଏହା ପ୍ରମାଣ ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ସତରେ କଣ ଇସ୍ତଫା ଦେବେ ବୋଲି ପ୍ରଶ୍ନ ଉଠିଛି । ସେହିଭଳି ନିଜକୁ ସଚ୍ଚୋଟ ବୋଲି ପ୍ରମାଣିତ କରିବାକୁ ବିଧାୟକ ବାରମ୍ବାର କହୁଥିଲେ, ମୋର ସବୁ ଆକାଉଣ୍ଟ ଯାଞ୍ଚ କରାଯାଉ । କିଛି ଯଦି ବାହାରିବ ତାହାଲେ ଯାହା ଦଣ୍ଡ ଦେଲେ ତାକୁ ମୁଁ ସ୍ୱୀକାର କରିବି । କିନ୍ତୁ ଗତକାଲିଠୁ ସୋସିଆଲ୍ ମିଡିଆରେ ବିଧାୟକଙ୍କ ଆଇସିସିଆଇ ବ୍ୟାଙ୍କରେ ଥିବା ଏକ ଆକାଉଣ୍ଟର ୪ ମାସର ସବିଶେଷ ତଥ୍ୟ ଘୁରି ବୁଲୁଛି ।

ଉପରେ ଦିଆଯାଇଥିବା ଫଟୋରେ ଆପଣଙ୍କ ସ୍ପଷ୍ଟ ଜାଣିପାରୁଥିବେ । ବିଧାୟକଙ୍କ ଆକାଉଣ୍ଟ ନମ୍ବର ହେଲା, ୨୦୩୬୦୧୫୦୧୯୪୮ । ଏହି ଆକାଉଣ୍ଟଟି ବ୍ରହ୍ମପୁରରେ ରହିଛି । ଆକାଉଣ୍ଟରେ କେତେ ଟଙ୍କା ରହିଛି, ତାହା ଭିନ୍ନ ପ୍ରସଙ୍ଗ । କିନ୍ତୁ ଆକାଉଣ୍ଟରେ ଗତ ଅଗଷ୍ଟ ମାସରୁ ଅଦ୍ୟାବଧି ଦୁଇ ଚାରି ଜଣ ଲୋକ ଓ ସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି ଓ ଏହି ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଆକାଶ ପାଠକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ଏହାର ପ୍ରମାଣ ମଧ୍ୟ ନନ୍ଦିଘୋଷ ଟିଭି ହାତରେ ଲାଗିଛି ।

ବହୁତ ଟ୍ରାନଜାକ୍ସନ ହୋଇଛି, ହେଲେ ଆମେ ଯେଉଁ ଦୁଇ ଚାରି ଜଣଙ୍କ କଥା କହୁଛୁ, ସେମାନେ ହେଲେ ରବୀନ୍ଦ୍ର ସାହୁ, ସୂର୍ଯ୍ୟ ଫିଲିଂ ଷ୍ଟେସନ୍, ଗୁରୁମୂର୍ତ୍ତି ଅଏଲ କମ୍ପାନୀ, କମ୍ଭୁପାଣି ସାହୁ । ଏକା ରବୀନ୍ଦ୍ର କୁମାର ସାହୁ ଗତ ୪ମାସ ଭିତରେ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ ପାଖାପାଖି ୭୫ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି । ସେହିଭଳି ସୂର୍ଯ୍ୟ ଫିଲିଂ ଷ୍ଟେସନ ୪୦ ଲକ୍ଷ, ଗୁରୁମୂର୍ତ୍ତି ଅଏଲ କମ୍ପାନୀ ୪୦ ଲକ୍ଷ, କମ୍ଭୁପାଣି ସାହୁ ପାଖାପାଖି ୨୦ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି । ଏପରିକି ଆକାଶ ପାଠକ ମଧ୍ୟ ଏହି ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିବା ଆକାଉଣ୍ଟ ଡିଟେଲ୍ସରୁ ଜଣାପଡିଛି ।

ଏହାବ୍ୟତୀତ ଏହି ଆକାଉଣ୍ଟରେ ହେମନ୍ତ କୁମାର ରଥ, ସରୋଜ ମିଶ୍ର, ପ୍ରସନ୍ନ କୁମାର ଲେଙ୍କା ଆଦି ବିଭିନ୍ନ ଲୋକ ଲକ୍ଷ ଲକ୍ଷ ଟଙ୍କା ଦାଖଲ କରିଛନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆକାଉଣ୍ଟରେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ୨ଲକ୍ଷ ୫୦ହଜାର ଟଙ୍କା ଗତ ସେପ୍ଟେମ୍ବର ୩ ତାରିଖରେ ଡିପୋଜିଟ୍ କରିଛନ୍ତି । ତେବେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସୋରଡ଼ା ବିଧାୟକ ନା ଆଉ କେହି ତାହା ତଦନ୍ତ ସାପେକ୍ଷ । ଏବେ ପ୍ରଶ୍ନ ଉଠୁଛି, ଏହି ରବୀନ୍ଦ୍ର ସାହୁ କିଏ? କାହାର ଏହି ସୂର୍ଯ୍ୟ ଫିଲିଂ ଷ୍ଟେସନ୍ ? ପୁଣି କିଏ ଏହି କମ୍ଭୁପାଣି ସାହୁ ? ଗୁରୁମୂର୍ତ୍ତି ଅଏଲ କମ୍ପାନୀ ଚଲାଇଛି କିଏ ? ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ଟଙ୍କା ଯାଉଥିବା କାହିଁକି ?

ଏଠି ପ୍ରଶ୍ନ ଉଠୁଛି, ଭାବୀ ଶ୍ୱଶୂର ଅର୍ଥ ଯୋଗାଡ଼ କରି ଭାବୀ ଜାମାତାଙ୍କୁ ଦେଉଥିଲେ ଆଉ ସେହି ଅର୍ଥରେ ଭାବୀ ଜାମାତା ଦୁଇ ପରିବାରଙ୍କୁ ଧରି ଅୟସ କରୁଥିଲେ । ସୋସିଆଲ୍ ମିଡିଆରେ ଏହି ଆକାଉଣ୍ଟ ଡିଟେଲସ ଘୁରିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖା ଖୋଲିବା ସାଙ୍ଗକୁ ତାଙ୍କ ପାଇଁ ସାଧାରଣରେ ଶହ ଶହ ପ୍ରଶ୍ନ ତିଆରି ହେବାରେ ଲାଗିଛି । ଆକାଉଣ୍ଟ ଡିଟେଲ୍ସରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏଥିରେ ମାତ୍ର ଦିନକରେ ପ୍ରଦୀପଙ୍କ ଆକାଉଣ୍ଟରେ କେମିତି ଭର୍ତ୍ତି ହୋଇଛି ଲକ୍ଷ ଲକ୍ଷ ଟଙ୍କା, ପୁଣି କେମତି ଉଠାଯାଇଛି ଲକ୍ଷାଧିକ ଟଙ୍କା । ପ୍ରଦୀପଙ୍କ ଏହି ଗୋଟିଏ ଆକାଉଣ୍ଟ ଓ ଏଥିରେ ହୋଇଥିବା କାରବାର ତାଙ୍କ ଧଳା କମିଜ ତଳେ ରହିଥିବା କଳା କାରନାମାର ପ୍ରମାଣ ଦେଉନାହିଁ କି ? ଏବେ ଏହି ଆକାଉଣ୍ଟ ସଂପର୍କରେ ପ୍ରଦୀପ ସ୍ପଷ୍ଟିକରଣ ରଖନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେବାରେ ଲାଗିଲାଣି ।

Leave a Reply