ଜେଲ୍‌ ଗଲେ ସର୍ବେଶ୍ୱର, ଏବେ ଝାରପଡ଼ାରେ ମିଡିଲ ମ୍ୟାନ୍‌ଙ୍କ ସହ ମାଷ୍ଟର ମାଇଣ୍ଡ

1 min read

ଭୁବନେଶ୍ୱର: ଜେଲ୍‌ ଗଲେ ମିଡିଲ୍‌ ମ୍ୟାନ୍‌ ସର୍ବେଶ୍ୱର । ପ୍ରଦୀପ-ପାଠକଙ୍କ ପାଇଁ ଖୋଜୁଥିଲେ ଶିକାର । ଆଉ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଟାଟାମୋଟର୍ସରେ ନିଯୁକ୍ତି ଦେବେ କହି ଲୋକଙ୍କୁ ଲୁଟ୍‌ କରୁଥିଲେ । ପୂର୍ବରୁ ଏହି ଘଟଣାରେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବି ଜ୍ୱାଇଁଙ୍କୁ ଗିରଫ କରାଯାଇଥିଲା ବେଳେ ଏବେ ସେମାନଙ୍କୁ ଶିକାର ଯୋଗାଉଥିବା ଅବସରପ୍ରାପ୍ତ ପିନ୍ସପାଲ ସର୍ବେଶ୍ୱର ରାଓଙ୍କୁ ପୋଲିସ ଗିରଫ କରିଛି । ଗୁରୁବାର ଗିରଫ ହେବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଯାଇଛି ।

ପ୍ରଦୀପ ପାଣିଗ୍ରାହୀଙ୍କ ପାଖ ଲୋକ ଥିଲେ ପ୍ରଫେସର ସର୍ବେଶ୍ୱର ରାଓ । ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକ୍‌ଙ୍କ ଠକେଇ ମାମଲାରେ ସର୍ବେଶ୍ୱରଙ୍କ ସିଧାସଳଖ ସମ୍ପୃକ୍ତି ନେଇ ପୋଲିସ ସୁରାକ୍‌ ପାଇବା ପରେ ତାଙ୍କୁ ଗିରଫ କରିଥିଲା । ପରେ ସର୍ବେଶ୍ୱରଙ୍କୁ କ୍ରାଇମ୍‌ବ୍ରାଞ୍ଚ ନିଜ ହେଫାଜତକୁ ନେଇ ବୁଧବାରଠାରୁ ମାରାଥନ ଜେରା କରିଥିଲା । ଜେରା ବେଳେ ଠକେଇରେ ତାଙ୍କର ସିଧା ସଳଖ ସମ୍ପୃକ୍ତି ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ପ୍ରଦୀପ ପାଣିଗ୍ରାହୀ ଓ ସର୍ବେଶ୍ୱରଙ୍କୁ ମୁହାଁମୁହିଁ ଜେରା କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଆକାଶଙ୍କ ପିଏ ଡେଭିଡ୍‌ ପିଟରଙ୍କୁ ଜେରା ପରେ ସର୍ବେଶ୍ୱରଙ୍କ ନାଁ ସାମ୍ନାକୁ ଆସିଥିଲା । ନିଯୁକ୍ତି ଜାଲିଆତି କାରବାରରେ ସର୍ବେଶ୍ୱରଙ୍କ ଥିଲା ମୁଖ୍ୟ ଭୂମିକା । ମିଛ ନିଯୁକ୍ତି ପାଇଁ ଫାଶ ପକାଉଥିଲେ ସର୍ବେଶ୍ୱର ।

ଏବେ ସର୍ବେଶ୍ୱରଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଝାରପଡ଼ା ଜେଲ୍‌ ଏବେ ତାଙ୍କ ନୂଆ ଠିକଣା । ସେଠାରେ ପୂର୍ବରୁ ତାଙ୍କର ସହଯୋଗୀ ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକ ରହିଛନ୍ତି ।

Leave a Reply