ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ ମହାନନ୍ଦିଆଙ୍କ ପ୍ରେମ କାହାଣୀକୁ ନେଇ ର୍ନିମାଣ ହେଉଛି ହଲିଉଡ ଫିଲ୍ମ, ଅନୁଗୁଳରେ ଆରମ୍ଭ ହୋଇଛି ସୁଟିଂ

1 min read

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ ମହାନନ୍ଦିଆ । ଦିନେ ତାଙ୍କ ପ୍ରେମ କାହାଣୀ ପାଇଁ ଚର୍ଚ୍ଚାରେ ଥିଲେ। ଆଜି ପୁଣି ଥରେ ତାଙ୍କ ପ୍ରେମ କାହାଣୀ ଚର୍ଚ୍ଚାକୁ ଆସିଛି । ପ୍ରଦ୍ଯୁମ୍ନ ମହାନନ୍ଦିଆଙ୍କ ପ୍ରେମ କାହାଣୀକୁ ନେଇ ହଲିଉଡରେ ନିର୍ମାଣ ହେଉଛି ଚଳଚ୍ଚିତ୍ର। ଅନୁଗୁଳରେ ସୁଟିଂ ଆରମ୍ଭ ହୋଇଛି । ଏହା ମଧ୍ୟରେ ପ୍ରଦ୍ୟୁମ୍ନ ମହାନନ୍ଦିଆ ଶାନ୍ତିର ବାର୍ତ୍ତା ନେଇ ଆସିଛନ୍ତି ଓଡିଶା ।

ପ୍ରଦ୍ୟୁମ୍ନ, ପ୍ରେମର ପରିଭାଷା । ସଂଘର୍ଷ, ଭଲ ପାଇବା ଓ ବଳିଦାନର ସେ ସୀମାହୀନ ସଙ୍କେତ । ଦିନେ ମାଆ କହିଥିବା କଥା ସତ ହୋଇଥିଲା, ଭାଗ୍ୟ ନିଜ ମନର ରାଣୀକୁ ମିଳାଇଥିଲା । ସାମ୍ନାକୁ ଆସିଥିବା ସମସ୍ୟା ନିଜ ଦୃଢ଼ ମନୋବଳ ପାଇଁ ସମାଧାନ ହୋଇଥିଲା । ଏଭଳି ଏକ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଗାଁର ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ । ବାପା ଶ୍ରୀଧର ମହାନନ୍ଦିଆ ଜଣେ ପୋଷ୍ଟ ମାଷ୍ଟର ଓ ମାଆ ଗୃହିଣୀ । ଝାଟିମାଟି ଘରେ ବଢ଼ିଥିବା ପ୍ରଦ୍ୟୁମ୍ନ ଆଠମଲ୍ଲିକ ଓ ଛେଣ୍ଡିପଦାରେ ଶିକ୍ଷା ଗ୍ରହଣ ପରେ ଅନୁଗୁଳ ସରକାରୀ ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ ।

ତେବେ ମାଆ କଳାବତୀଙ୍କ ଝୋଟିଚିତାରେ ଅନୁପ୍ରାଣିତ ହୋଇ ଚିତ୍ର ଆଙ୍କୁଥିବା ପ୍ରଦ୍ୟୁମ୍ନ ଅଧିକ କିଛି କରିବା ଅଶାରେ ଚାଲି ଯାଇଥିଲେ ଖଲ୍ଲିକୋଟ ଓ ପରେ ଦିଲ୍ଲୀ । ସେଠାରେ ଆର୍ଟ କଲେଜରେ ମାଷ୍ଟର ଡିଗ୍ରୀ ଚାଲିଥିବା ବେଳେ  ଷ୍ଟ୍ରିଟ ଆର୍ଟିଷ୍ଟ ଭାବେ କାମ କରୁଥିଲେ ପ୍ରଦ୍ଯମ୍ନ। ୧୯୭୫ରେ ଦେଖା ହୋଇଥିଲା ସ୍ୱିଡେନ ତରୁଣୀ ତଥା ସଙ୍ଗୀତ କଳା ଛାତ୍ରୀ ଚାର୍ଲଙ୍କ ସହ । ଚାର୍ଲଙ୍କ ଚିତ୍ର ଆଙ୍କୁ ଆଙ୍କୁ ଆରମ୍ଭ ହୋଇଥିଲା ଆତ୍ମୀୟତା, ଅନୁରାଗ ଓ ପ୍ରେମ । ଶେଷରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଛୋଟ ବେଳୁ ଭାଗ୍ୟରେ ରାଣୀ ମିଳିବ ବୋଲି ଜାତକ ଦେଖି କହୁଥିବା ବାପାମାଆଙ୍କ କଥା ଦିନେ ସତ ହେବ ବୋଲି ଭାବି ନଥିଲେ ପ୍ରଦ୍ୟୁମ୍ନ । ଆଜି ପ୍ରଦ୍ୟୁମ୍ନ ମହାନନ୍ଦିଆଙ୍କ ନିଆରା କାହାଣୀକୁ ନେଇ ର୍ନିମାଣ ହେଉଛି ହଲିଉଡ୍ ଫିଲ୍ମ ।

୧୯୪୯ ମସିହାରେ ଜନ୍ମ ହୋଇଥିବା ପ୍ରଦ୍ୟୁମ୍ନ ପାଠ ଭଲ ପଢୁ ନଥିବାରୁ ବାପାଙ୍କ ପାଖରୁ ମାଡ଼ ଗାଳି ଖାଉଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ ଦିନେ ମନ ଦୁଃଖରେ ଟ୍ରେନ ଆଗରେ ଶୋଇ ଯାଇଥିଲେ । ହେଲେ ଟ୍ରେନ ନଆସିବାରୁ ତାଙ୍କ ଆତ୍ମହତ୍ୟା ଉଦ୍ଯମ ଫେଲ ମାରିଥିଲା । ମାଆଙ୍କ ପାଖକୁ ଫେରିବା ପରେ ମାଆ ମନ ଦୁଃଖ ନ କରିବାକୁ କହି ଜାତକରେ ରାଣୀ ମିଳିବ ବୋଲି କହି ବୁଝାଇଥିଲେ । ଯାହକୁ ଗପ ବୋଲି ଭାବୁଥିବା ପ୍ରଦ୍ୟୁମ୍ନଙ୍କ ଜୀବନରେ ଯେ ଏପରି ମୋଡ ଆସିବ, ସେ ବିଶ୍ବାସ କରିପାରିନଥିଲେ । ପ୍ରଦ୍ଯୁମ୍ନଙ୍କ  ବିବାହ ନିବେଦନ ଚାର୍ଲ ସ୍ୱୀକାର କରିବା ପରେ ଉଭୟଙ୍କ ବାପାମାଆଙ୍କ ସ୍ୱୀକୃତିରେ ହିନ୍ଦୁ ରୀତିନୀତିରେ ବିବାହ ହୋଇଥିଲା। ହେଲେ ଭାରତର ଭିସା ସମାପ୍ତ ପରେ ଓଡ଼ିଶାରୁ ଚାର୍ଲ ଫେରି ଯାଇଥିଲେ ସ୍ୱିଡେନ । ଆଉ ୧୯୭୭ ମସିହା ମାର୍ଚ ମାସରେ ନିଜ ସ୍ତ୍ରୀ ପାଖକୁ ଯିବା ପାଇଁ ପ୍ରଦ୍ୟୁମ୍ନ ଖଣ୍ଡେ ଭଙ୍ଗା ସାଇକେଲ, କିଛି ରଙ୍ଗତୂଳି ଧରି ବାହାରି ଯାଇଥିଲେ ସ୍ୱିଡେନ । ବହୁ ଘାତ ପ୍ରତିଘାତକୁ ଖାତିର ନକରି ପ୍ରଦ୍ୟୁମ୍ନ ପାକିସ୍ତାନ, ଆଫଗାନିସ୍ତାନ, କାବୁଲ , କାନ୍ଦାହାର , ଗଜନି ଭଳି ଦେଶ ଦେଇ ପହଞ୍ଚିଥିଲେ ସ୍ୱିଡେରେ । ଏଥିପାଇଁ ତାଙ୍କୁ ୪ ମାସ ୩ ସପ୍ତାହ ଲାଗିଥିଲା ।

ପ୍ରଦ୍ଯୁମ ମହାନନ୍ଦିଆଙ୍କ ପ୍ରେମ କାହାଣୀ ସେବେଠାରୁ ଚର୍ଚ୍ଚାରେ ରହିଛି । ଏହାକୁ ନେଇ ସ୍ୱିଡେନ ସାମ୍ବାଦିକ ଆଣ୍ଡର୍ସନ THE AMAZING STORY OF THE MAN WHO CYCLED FROM INDIA TO EUROPE FOR LOVE ଏକ ପୁସ୍ତକ ଲେଖିଥିଲେ । ଯାହ ବିଭିନ୍ନ ଭାଷାରେ ପ୍ରକାଶିତ ହୋଇ ବହୁ ଖ୍ୟାତି ଅର୍ଜନ କରିଥିଲା । ଯାହାକୁ ନେଇ ଏବେ ଓସ୍କାର ପୁରସ୍କାରପ୍ରାପ୍ତ ହଲିଉଡ ନିର୍ଦେଶକ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ଯାହାର ସୁଟିଂ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର  କନ୍ଧପଡ଼ା ଗାଁରେ ହୋଇଛି । ଯେଉଁଥିରେ ଗାଁର କିଛି ଲୋକ ଅଭିନୟ କରିଛନ୍ତି ।

ବିଖ୍ୟାତ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ ଶାନ୍ତିର ବାର୍ତ୍ତା ନେଇ ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି । ଏଥିପାଇଁ ସେ ଅଲିମ୍ପିକ ଭାଲ୍ୟୁ ଏଜୁକେସନ ମଧ୍ୟ ଦେଉଛନ୍ତି । ଧ୍ୱସଂମୁଖୀ ପ୍ରୁଥିବୀ ପାଇଁ ଶାନ୍ତି ନିତାନ୍ତ ଆବଶ୍ୟକ । ଆଉ ସାରା ବିଶ୍ୱକୁ ସେ ନିଜର କରିବାର ପ୍ରୟାସରେ ଲାଗି ପଡିଛନ୍ତି ।