ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେଲେ, କିନ୍ତୁ ମେଡିକାଲ କଲେଜ କଥା ମନେପକାଇଲେ: ପ୍ରଣବ ପ୍ରକାଶ ଦାଶ

1 min read
Pranab Prakash Das

ଭୁବନେଶ୍ୱର: ରାଉରକେଲାରେ ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍ପିଟାଲ ଲୋକାର୍ପିତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ତେବେ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି କଥା ମଧ୍ୟ ମନେ ପକାଇଲେ ପ୍ରଣବ । ସେ ଟ୍ୱିଟ୍‌ କରି ପରୋକ୍ଷରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରେ ଦେଇଥିବା ପ୍ରତିଶ୍ରୁତି ଏବେ ସୁଦ୍ଧା ପାଳନ ହେଲା ନାହି । ମୋଦି କହିଥିଲେ ରାଉରକେଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ହେଲେ ଏବେ ସୁଦ୍ଧା ସେଥିପାଇଁ କୌଣସି ପଦକ୍ଷେପ ନିଆଯାଇଥିବା ଦେଖାଯାଉ ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପ୍ରତି ଦୃଷ୍ଟି ରଖିଥିବେ ବୋଧ ହୁଏ ।

ତେବେ ପ୍ରଣବ ନିଜ ଟ୍ୱିଟ୍‌ରେ ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରି ଲେଖିଛନ୍ତି ଯେ, ଭାଇ ଧର୍ମେନ୍ଦ୍ର, ଆଇଜିଏଚ୍‌ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଧନ୍ୟବାଦ । ମାନ୍ୟବର ପ୍ରଧାନମନ୍ତ୍ରୀ ରାଉରକେଲାରେ ମେଡିକାଲ କଲେଜ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମୁଁ ନିଶ୍ଚିତ ଯେ, ଆପଣ ଏଦିଗରେ ପ୍ରୟାସ କରୁଥିବେ । ଓଡ଼ିଶାର ବିକାଶରେ ବହୁମୂଲ୍ୟ ଅବଦାନ ଥିବା ସୁନ୍ଦରଗଡ଼ବାସୀ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇବାର ହକଦାର୍ ।’

ସୂଚନାଯୋଗ୍ୟ, ୨୦୧୫ରେ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିବା ବେଳେ ସୁନ୍ଦରଗଡ଼ରେ ମେଡିକାଲ କଲେଜ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ସୁଦ୍ଧା ତାହା ହୋଇପାରିଲା ନାହିଁ । IGHକୁ ମେଡିକାଲ କଲେଜ କରାଯାଉ ନଥିବାରୁ ରାଉରକେଲାରେ ଅସନ୍ତୋଷ ରହିଛି ।

ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଉରକେଲାରେ ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍ପିଟାଲର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାକୁ ପ୍ରଶଂସାରେ ପୋତି ପକାଇଛନ୍ତି । ଏମିତିକି ରାଉରକେଲାବାସୀଙ୍କୁ ସେ ଭୂୟସୀ ପ୍ରଶଂସା ମଧ୍ୟ କରିଛନ୍ତି ।

Leave a Reply