ବିହାର ବିଧାନସଭା ନିର୍ବାଚନ ; ଜନ ସୂରାଜ ପାର୍ଟିର ୫୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ଲାଗି ଜନ ସୂରାଜ ପାର୍ଟିର ୫୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା । ତାଲିକା ଜାରି କରିଛନ୍ତି ପାର୍ଟି ସୁପ୍ରିମୋ ପ୍ରଶାନ୍ତ କିଶୋର । ଦଳ ସାତଟି ଅନୁସୂଚିତ ଜାତି, ୧୭ ଅତି ପଛୁଆ ବର୍ଗ, ୧୧ ପଛୁଆ ବର୍ଗ, ଆଠ ଜଣ ସଂଖ୍ୟାଲଘୁ ବର୍ଗ ଏବଂ ଆଠ ଜଣ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଚୟନ କରିଛି । ତାଲିକାରେ ପୂର୍ବତନ ଆଇପିଏସ ଅଫିସର ଆର.କେ. ମିଶ୍ରା ଅଛନ୍ତି । ସେ ଦରଭଙ୍ଗା ଆସନରୁ ଲଢିବେ । ଗଣିତଜ୍ଞ ତଥା ପାଟନା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି କେ.ସି. ସିହ୍ନା ଲଢିବେ କୁମହରାର ଆସନରୁ। ଏହି ଆସନ ବିଜେପିର ଗଡ଼। ଡାକ୍ତର ଅମିତ କୁମାର ଦାସ ଲଢିବେ ହାଇପ୍ରୋଫାଇଲ ମୁଜାଫରପୁର ଆସନରୁ ।
ପାଟନା ହାଇକୋର୍ଟର ପୂର୍ବତନ ବରିଷ୍ଠ ଆଇନଜୀବୀ ୱାଇ.ବି. ଗିରି ଲଢିବେ ମାନଝି ଆସନରୁ। ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ନାତୁଣୀ ଜାଗୃରୁତି ଠାକୁର ଲଢିବେ ସମସ୍ତିପୁରର ମୋରୱା ଆସନରୁ । ପୂର୍ବତନ ଆଇପିଏସ ଅଫିସର ଜୟ ପ୍ରକାଶ ସିଂ ଲଢିବେ ଛାପ୍ରାରୁ । ରାଜ୍ୟର ୨୪୩ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନ ଲାଗି ନଭେମ୍ବର ୬ରେ ଭୋଟ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୧୨୨ ଆସନ ଲାଗି ନଭେମ୍ବର ୧୧ରେ ଭୋଟ ହେବ ।