ଆମ୍ବୁଲାନ୍ସ ନଆସିବାରୁ ୪ କିମି ଖଟିଆରେ ବୁହା ହେଲେ ଗର୍ଭବତୀ

ଭବାନୀପାଟଣା: କଳାହାଣ୍ଡିରେ ଆମ୍ବୁଲାନ୍ସ ନଆସିବାରୁ ୪ କିମି ଖଟିଆରେ ବୁହା ହେଲେ ଗର୍ଭବତୀ । ଭବାନୀପାଟଣା ଯୁଗସାଇପାଟଣା ପଞ୍ଚାୟତ କଡରୁସୋରୁ ଗାଁକୁ ଭଲ ରାସ୍ତା ନାହିଁ। ଫଳରେ ଜଣେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ୪ କିମି ବୋହି ନେଇଥିବା ଦେଖିବାକୁ ମିଳିଛି । କଡ଼ରୁସୋରୁ ଗାଁର ସାନଲାକ୍ସା ମାଝୀଙ୍କ ସ୍ତ୍ରୀ ଆନ୍ଦ୍ରାଣୀ ମାଝୀଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଡାକ୍ତରଖାନା ନେବାକୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ରାସ୍ତାଟି ଅତି ଶୋଚନୀୟ ହୋଇ ପଡିଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶିପାରିନଥିଲା । ଗ୍ରାମବାସୀମାନେ ଗର୍ଭବତୀଙ୍କୁ ପ୍ରାୟ ୪ କିମି ଖଟିଆରେ ବୋହି କମଳେଇ ଗାଁରେ ଅଟକିଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସରେ ଲାଞ୍ଜିଗଡ଼ ଡାକ୍ତରଖାନାକୁ ଆଣି ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।