ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ- ମୋତେ ଲାଗୁଛି ମୁଁ ମୋ ଘରେ ଅଛି
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ । ପ୍ରଥମ ଥର ମହାମହିମ ରାଷ୍ଟ୍ରପତି ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିଛନ୍ତି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବା ସହ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି । କହିଛନ୍ତି ଆଜି ଆପଣଙ୍କ ଗହଣରେ ଉପସ୍ଥିତି ହୋଇ ମୁଁ ଖୁବ ଆନନ୍ଦିତ । ଦେଶର ଏକାଧିକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିବାକୁ ସୁଯୋଗ ପାଇଛି । ଆଜି ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିଥିବାରୁ ବିଶେଷ ଖୁସି । ମୋତେ ଲାଗୁଛି ମୁଁ ମୋ ଘରେ ଅଛି । ଏଇ ଗୃହ ମୋତେ ସବୁ କିଛି ଶିଖାଇଛି । ଆଜି ଅତୀତର ସ୍ମୃତି ସବୁ ଉଜାଗର ହେଉଛି । ଆଜି ମୁଁ ଯେଉଁଠି ଅଛି ତା’ର ଶ୍ରେୟ ହେଉଛି ଏ ଗୃହର । ଏହି ଗୃହରେ ପଡ଼ିଛି ମୋ ସଫଳତାର ଭିତ୍ତିଭୂମି ।
ଆଗକୁ ସେ କହିଛନ୍ତି, ଏକ ମହତ୍ବପୂର୍ଣ୍ଣ ସାଂସ୍କୃତିକ ପ୍ରବାହ ହେଉଛି ଓଡ଼ିଶା । ରାଷ୍ଟ୍ର ଗଠନରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସ୍ବାଧୀନତା ସଂଗ୍ରାମରେ ଏ ମାଟିର ପୁଅ ଦେଇଛି ବଳିଦାନ । ସେହିପରି ଓଡ଼ିଶାର ମହିଳାଙ୍କ ସଫଳତା କଥା କହିଛନ୍ତି ମହାମହିମ । ସେ କହିଛନ୍ତି, ସବୁ କ୍ଷେତ୍ରରେ ଓଡ଼ିଶାର ମହିଳାମାନେ ସଫଳତା ପାଇଛନ୍ତି । ରାଜନୀତିଠୁ ଖେଳକୁଦ ଯାଏଁ ଲମ୍ବିଛି ମହିଳାଙ୍କ ସଫଳତାର ତାଲିକା । ଓଡ଼ିଶା ବିଧାନସଭାରେ ମହିଳାଙ୍କ ପ୍ରତିନିଧିଙ୍କ ଦୀର୍ଘ ଇତିହାସ ରହିଛି । ଓଡ଼ିଶାର ଅନେକ ମହିଳା ମନ୍ତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରଛନ୍ତି । ଓଡ଼ିଶାର ମହିଳା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ଗୌରବ ଅର୍ଜନ କରିଛନ୍ତି ।
ଆଗକୁ ସେ କହିଛନ୍ତି, ଭାଷାଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠନ ପ୍ରେରଣାର ଉତ୍ସ ହୋଇଥିଲା । ଭାରତର ନିର୍ମାଣରେ ଓଡ଼ିଶାର ଅନେକ ଅବଦାନ ରହିଛି । ଦେଶ ନିର୍ମାଣରେ ଓଡ଼ିଶାର ରହିଛି କାଳେ କାଳେ ଅବଦାନ ।
ମହାମହିମ କହିଛନ୍ତି, ସୁଭଦ୍ରା ସହାୟତାକୁ ଉପଯୋଗ କରି ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି । ଶିକ୍ଷା, ସ୍ଵାସ୍ଥ୍ୟ ଆଦି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ରେଳ, ରାଜପଥ ବିକାଶ ଲାଗି ସରକାର ନାନା ଯୋଜନା କରିଛନ୍ତି । ଶିଳ୍ପାୟନ ଓଡ଼ିଶାରେ ନୂଆ ରୂପ ନେଇଛି । ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ସମସ୍ତ କ୍ଷେତ୍ରରେ ଓଡ଼ିଶା ସମୃଦ୍ଧ । ୨୦୩୬ ମସିହାରେ ଓଡ଼ିଶା ଗଠନର ଶତବର୍ଷ ପୂର୍ତ୍ତି ହେବାକୁ ଯାଉଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି ।
ଭାରତ ପୃଥିବୀର ଏକ ବୃହତ୍ତ ଅର୍ଥନୀତି ଭାବେ ଉଭା ହୋଇଛି । ଆଗାମୀ ଦିନରେ ଆହୁରି ଆଗକୁ ଯିବ ଦେଶ । ଅନେକ ଦେଶ ଭାରତର ଜ୍ଞାନକୌଶଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଅନେକ ବିଦେଶୀ ଛାତ୍ରଛାତ୍ରୀ ଭାରତରେ ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହ ଦେଖାଉଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି ଭାରତର ପୃଥିବୀର ସର୍ବବୃହତ ଗଣତନ୍ତ୍ର । ଲୋକଶକ୍ତିକୁ ସବୁବେଳେ ସମ୍ମାନ ଦିଆଯାଇଛି । ଲୋକଙ୍କ ସ୍ଵପ୍ନକୁ ସାକାର କରିବା ଜନପ୍ରତିନିଧିଙ୍କ ଦାୟିତ୍ଵ ବୋଲି କହିଛନ୍ତି ମହାମହିମ ।

