spot_img

Latest Posts

ଟ୍ରେନରେ କାନପୁର ଯିବେ ରାଷ୍ଟ୍ରପତି, ବୁଲେଟ୍ ପ୍ରୁଫ୍ କୋଚ୍ ସହ NSG କମାଣ୍ଡୋ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦିନ ଦିଲ୍ଲୀର କାନପୁରକୁ ଟ୍ରେନରେ ଯାତ୍ରା କରିବେ। ଉତ୍ତରପ୍ରଦେଶ ସ୍ଥିତ ତାଙ୍କ ଜନ୍ମ ଭୂମିକୁ ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ପ୍ରେସିଡେଣ୍ଟସିଆଲ୍ ଟ୍ରେନରେ ଯାତ୍ରା କରିବାକୁ ଥିବା ବେଳେ ତାଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି କମାଣ୍ଡୋ) ସୁରକ୍ଷାରେ ଏହି ଟ୍ରେନ ତୁଣ୍ଡଲା ଏବଂ ଫିରୋଜାବାଦ ଦେଇ ଯାତ୍ରା କରିବ । ପ୍ରାୟ ୫ ଘଣ୍ଟା ୩୦ ମିନିଟରେ ଏହି ସ୍ୱତନ୍ତ୍ର ଟ୍ରେନ ଦିଲ୍ଲୀରୁ କାନପୁରରେ ପହଞ୍ଚିବ। ଏନେଇ ଫିରୋଜାବାଦ ଏସଏସପି ଅଶୋକ କୁମାର ଶୁକ୍ଲା କହିଛନ୍ତି ଯେ ଆସନ୍ତାକାଲି ଟ୍ରେନ ବାହାରିବ । ଏହା ପୂର୍ବରୁ ମକ୍ ଡ୍ରିଲ୍ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯାଇଛି ।

ଏହି ପ୍ରେସିଡେଣ୍ଟସିଆଲ୍ ଟ୍ରେନରେ ଦୁଇଟି ସ୍ୱତନ୍ତ୍ର କୋଚ୍ ଲଗାଯାଇଛି, ଯେଉଁଥିରେ ବୁଲେଟ୍ ପ୍ରୁଫ୍ କାଚ ଲାଗିଛି । ଏଥିରେ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ଲାଗିଛି । ରେଳ ଟ୍ରାକ୍ ଯାଞ୍ଚ ପାଇଁ ସୁରକ୍ଷା ଦୃଷ୍ଟିକୋଣରୁ ଟ୍ରେନ୍ ଆଗରେ ଖାଲି ଇଞ୍ଜିନ ମଧ୍ୟ ଚାଲିବ । ଖାଲି ଏତିକି ନୁହେଁ ରେଳ ଲାଇନର ଦୁଇ ପଟେ ପୋଲିସର କଡ଼ା ପହରା ମଧ୍ୟ ଦିଆଯିବ ।

ଟ୍ରେନ୍ ଶୁକ୍ରବାର ଦିନ ୧ଟା ୩୦ମି.ରେ ବାହାରିବ ଏବଂ ଅପରାହ୍ନ ୪ଟା ବେଳକୁ  ତୁଣ୍ଡଲା ଏବଂ ଫିରୋଜାବାଦ ଦେଇ ଗସ୍ତ କରିବା ସହ ରାତି ୭ଟା ବେଳକୁ କାନପୁରରେ ପହଞ୍ଚିବ । ସେଠାରେ ୨ ଦିନର ବିଭିନ୍ନ କାର୍ଯ୍ୟକ୍ରମ ସାରି ସୋମବାର ଦିନ ୧୦ଟା ୨୦ମି. ବେଳେ ଟ୍ରେନରେ କାନପୁରରୁ ବାହାରି ଲକ୍ଷ୍ନୌରେ ପହଞ୍ଚିବେ। ପରବର୍ତ୍ତୀ ସମୟରେ ଜୁନ୍ ୨୯ ବେଳକୁ ସ୍ୱତନ୍ତ୍ର ବିମାନରେ ଦିଲ୍‌ଲୀ ଫେରିବେ ।

ରାଷ୍ଟ୍ରପତି କୋବିନ୍ଦ ଜୁନ୍ ୨୫ ତାରିଖରେ ଦିଲ୍ଲୀର ସଫଦରଗଞ୍ଜ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନରେ  କାନପୁର ଅଭିମୁଖେ ଯିବେ । ଏନେଇ ଆଗ୍ରାର ରେଲୱେ ପୋଲିସ ଅଧିକ୍ଷକ ମହମ୍ମଦ ମୁଶତାକ୍ କହିଛନ୍ତି ଯେ ଏହି ଟ୍ରେନର ସୁରକ୍ଷା ବ୍ୟବସ୍ଥାରେ ଏନଏସଜି କମାଣ୍ଡୋ, ବମ୍ ସ୍କ୍ୱାଡ, ଫାୟାର ବିଗ୍ରେଡ୍, ସିଆରପିଏଫ୍ ଓ ୨୦୦ରୁ ଅଧିକ ଯବାନ ନିୟୋଜିତ ରହିବେ ।

ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ନେଇ ଫିରୋଜାବାଦର ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ଟ୍ରେନ୍ ଭିତରୁ ସେମାନେ ରାଷ୍ଟ୍ରପତିଙ୍କୁ ଦେଖିପାରିବେ କି ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ । ଏହି ସମୟରେ ସେ ସ୍କୁଲର ସାଙ୍ଗସାଥୀ ଓ ଅନ୍ୟ ପରିଜନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି ।

ଏକ ବିଜ୍ଞପ୍ତି ଅନୁଯାୟୀ ଟ୍ରେନ୍ କାନପୁରର ଝିନଝକ୍ ଓ  ରୁରାର ଦୁଇଟି ସ୍ଥାନରେ ରହଣି କରିବ । ଯେଉଁଠି ରାଷ୍ଟ୍ରପତି ସ୍କୁଲର ପୁରୁଣା ସାଙ୍ଗ ଓ ସମାଜସେବା କରିବା ସମୟର କିଛି ପରିଚତଙ୍କୁ ଭେଟ କରିବେ । ଏପରିକି ଜନ୍ମମାଟିରେ ଜୁନ୍ ୨୭ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ମାନ ପାଇଁ ଦୁଇଟି ସମାରୋହ ଆୟୋଜିତ କରାଯାଇଛି ।

ପାଖାପାଖି ୧୫ ବର୍ଷ ପରେ କେହି ରାଷ୍ଟ୍ରପତି ଟ୍ରେନରେ ଯାତ୍ରା କରିବେ । ଏହା ପୂର୍ବରୁ ୨୦୦୬ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମ ଟ୍ରେନରେ ଯାତ୍ରା କରିଥିଲେ । ସେ ଭାରତୀୟ ସୈନ୍ୟ ଏକାଡେମୀର କ୍ୟାଡେଟ୍ ପାସିଂ ଆଉଟ୍ ପରେଡରେ ସାମିଲ ହେବା ପାଇଁ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀରୁ ଡେରାଡୁନ୍ ଯାଇଥିଲେ ।

Latest Posts

Don't Miss