‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ ଫିଲ୍ମ ଦେଖିଲେ ରାଷ୍ଟ୍ରପତି: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଗୌରବମୟ ମୁହୂର୍ତ୍ତ

ନୂଆଦିଲ୍ଲୀ: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଗୌରବମୟ ମୁହୂର୍ତ୍ତ । ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ‘ଶ୍ରୀ ଜଗନ୍ନାଥଙ୍କ ନବକେଳବର’ ଓଡ଼ିଆ ଫିଲ୍ମକୁ ଦେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନବକଳେବର ରୀତିକୁ ନେଇ ପ୍ରସ୍ତୁତ ହୋଇଛି ଏହି ଭକ୍ତିପୂର୍ଣ୍ଣ ତଥା ଐତିହାସିକ ଚଳଚ୍ଚିତ୍ର । ସ୍କ୍ରିନିଂ ସମୟରେ ଫିଲ୍ମର ନିର୍ଦ୍ଦେଶକ ସୌଭାଗ୍ୟଲକ୍ଷ୍ମୀ ଜେନା ଓ ଅନ୍ୟ କଳାକାରମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଫିଲ୍ମ ଇତିହାସରେ ଏହା ପ୍ରଥମ ଘଟଣା । ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହୋଇଛି ଶ୍ରୀଜଗରନ୍ନାଥଙ୍କ ‘ନବକଳେବର’ ଫିଲ୍ମ । ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାରେ, ଓଡ଼ିଶାର ପ୍ରମୁଖ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର ଅପୂର୍ବ ସଫଳତା ଏବେ ଚର୍ଚ୍ଚାର ବିଷୟ । କେବଳ ଓଡ଼ିଶା ନୁହେଁ ସାରା ବିଶ୍ବର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ଦେଖିବାକୁ ପ୍ରେକ୍ଷାଳୟକୁ ଓଡିଆ ଦର୍ଶକ ନିଜେ ଟାଣି ହୋଇ ଆସୁଛନ୍ତି ।

ତେବେ ଓଡିଆ ମାଟିର ଝିଅ ତଥା ଭାରତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଧ୍ୟ ବଡ଼ ଠାକୁରଙ୍କ ଏହି ଫିଲ୍ମର ଅନୁଭୂତି ନେବା ପାଇଁ ନୂଆ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ଫିଲ୍ମର ସମ୍ପୂର୍ଣ୍ଣ ଟିମକୁ ନିମନ୍ତ୍ରଣ କରିଥିଲେ । ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଚଳଚ୍ଚିତ୍ର ଶ୍ରୀଜଗନ୍ନାଥଙ୍କ ‘ନବକଳେବର’ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହୋଇଥିଲା ।

ସ୍ୱୟଂ ବଡ଼ଠାକୁରଙ୍କ ଏହି ଫିଲ୍ମ ଦେଖି ସମସ୍ତେ ବହୁତ ଭାବ ବିହ୍ଵଳ ହୋଇଥିଲେ ଓ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରୁଥିବାରୁ ଫିଲ୍ମର ଟିମକୁ ଅନେକ ପ୍ରଶଂସା କରିଥିଲେ । ଏହି ଅବସରରେ ନବକଳେବର ଟିମ୍ ଗଣମାଧ୍ୟମକୁ କହିଥିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ଟିମର ଅକ୍ଳାନ୍ତ ପରିଶ୍ରମ ପାଇଁ ଆଜି ଆମେ ଦର୍ଶକଙ୍କ ଏହି ଭଲପାଇବା ପାଇଥିଲୁ । ଆମ ଓଡିଆ ଝିଅ ତଥା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କ କାର୍ଯ୍ୟାଳୟର ଏହି ଫିଲ୍ମ ପ୍ରତି ଭଲପାଇବା ଆମର ମନୋବଳକୁ ଆହୁରି ବଢାଇଛି ।