ମନ କି ବାତ: ‘ତ୍ରୀରଙ୍ଗା ଅପମାନ ଦେଖି ଦେଶ ଅତ୍ୟନ୍ତ ଦୁଃଖିତ ହୋଇଛି’

ନୂଆଦିଲ୍ଲୀ: ୨୦୨୧ ବର୍ଷର ପ୍ରଥମ ‘ମନ କି ବାତ’ରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ମୋଦିଙ୍କ ‘ମନ୍‌ କି ବାତ୍‌’ ପ୍ରସାରିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପ୍ରସଙ୍ଗରେ ମତ ରଖିଛନ୍ତି।

ମୋଦୀ ଟୀକାକରଣ ଅଭିଯାନ ବିଷୟରେ କହିଛନ୍ତି, ‘ଚଳିତ ବର୍ଷ ଆରମ୍ଭରୁ କରୋନା ବିରୋଧରେ ଆମର ଲଢ଼େଇ ପ୍ରାୟ ଏକ ବର୍ଷ ପୂରିଯାଇଛି। କରୋନା ବିରୋଧରେ ଭାରତର ଲଢ଼େଇ ଯେପରି ଏକ ଉଦାହରଣ ପାଲଟିଛି, ସେହିପରି ଆମର ଟୀକାକରଣ କାର୍ଯ୍ୟକ୍ରମ ମଧ୍ୟ ବିଶ୍ୱରେ ଏକ ଉଦାହରଣ ପାଲଟିଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ଆଜି ମେଡ୍ ଇନ୍ ଟିକା କେବଳ ଭାରତର ଆତ୍ମନିର୍ଭରଶୀଳତାର ପ୍ରତୀକ ନୁହେଁ, ଏହା ଭାରତର ଆତ୍ମଗୈରବର ବି ପ୍ରତୀକ ହୋଇପାରିଛି।

ଏହା ପରେ  ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ହିଂସା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏସବୁ ମଧ୍ୟରେ ୨୬ ଜାନୁଆରୀରେ ଦିଲ୍ଲୀରେ ତ୍ରୀରଙ୍ଗା ଅପମାନ ଦେଖି ଦେଶ ଅତ୍ୟନ୍ତ ଦୁଃଖିତ ହୋଇଛି। ଦେଶର ଜନତାଙ୍କ ମନରେ ଏନେଇ ଆଘାତ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

‘ମନ କି ବାତ’ରେ ରାଉରକେଲାର ଓଡ଼ିଆ ଛାତ୍ରୀଙ୍କୁ ମୋଦୀ ପ୍ରଶଂସା କରିଛନ୍ତି। ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ର କରୁଥିବାରୁ ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କୁ ମୋଦି ପ୍ରଶଂସା କରିଛନ୍ତି। ଲକଡାଉନରେ ସେ ଅନେକ ପଟ୍ଟଚିତ୍ର କରି ସାଙ୍ଗକୁ ଉପହାର ଦେଇଥିଲେ। ତେବେ ନେତାଜୀ ଜୟନ୍ତୀରେ ସୁଭାଷ ବୋଷଙ୍କୁ ମଧ୍ୟ ପଟ୍ଟଚିତ୍ରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିପାଇଁ ଭାଗ୍ୟଶ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।

Leave a Reply