ଭକ୍ତଙ୍କୁ ଭରସା କେନ୍ଦ୍ରୀୟ ନେତା । ପ୍ରିୟଙ୍କା, ରାହୁଲଙ୍କୁ ଆଣି ବଢାଇବେ ବଳ । ମହିଳା ସମାବେଶକୁ ପ୍ରିୟଙ୍କା କରିବେ ସମ୍ବୋଧନ । ବରିଷ୍ଠ ନେତାଙ୍କୁ ଘାରିଲା ଏକଜୁଟ ଚିନ୍ତା । ଓଡିଶା ଗସ୍ତରେ ଆସିବେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି। କଂଗ୍ରେସ ପକ୍ଷରୁ ଆୟୋଜନ ହେବାକୁ ଥିବା ବିଶାଳ ମହିଳା ସମାବେଶକୁ କରିବେ ସମ୍ବୋଧନ। ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡ଼ିଥିବାରୁ ଏହା ବିରୋଧରେ ଲଢେଇ ଜୋରଦାର କରିବ କଂଗ୍ରେସ । ରାଜ୍ୟର ୧୦ ଟି ଜିଲ୍ଲାରେ ବଡ଼ ସମାବେଶ କରିବାକୁ ଦଳ ପ୍ରସ୍ତୁତ ହେଉଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ୨୦୨୬ରେ ବିଜେପି ସରକାର ସହ ୩ ଗୁଣା ସଂଘର୍ଷ କଂଗ୍ରେସ କରିବ ବୋଲି ସେ କହିଛନ୍ତି । କେବଳ ପ୍ରିୟଙ୍କା ନୁହେଁ, ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଓଡିଶା ଆଣି ସମାବେଶ କରିବାକୁ ଲକ୍ଷ୍ୟ ରଖିଛି ଓଡିଶା କଂଗ୍ରେସ ।
ନୂଆବର୍ଷରେ କଂଗ୍ରେସ ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । କଂଗ୍ରେସ ଭବନରେ ନେତାମାନେ ପିସିସି ସଭାପତିଙ୍କୁ ନଆବର୍ଷର ଅଭିନନ୍ଦନ ଜଣାଇବା ସହ ମିଠା ବଣ୍ଟନ କରିଥିଲେ । ସେହିପରି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ବାସଭବନରେ ମଧ୍ୟ ନେତାଙ୍କ ଭିଡ ଜମିଥିଲା। ନୂଆବର୍ଷ ଶୁଭେଚ୍ଛା ସହ ନେତାଙ୍କୁ ଘାରିଥିଲା ଏକତା ଚିନ୍ତା । କଂଗ୍ରେସ ଏକହୋଇ କାମ କରିବାକୁ ଦଳୀୟ ନେତା ସଂକଳ୍ପ ନେଇଛନ୍ତି । ନୂଆ ବର୍ଷରେ ନୂଆ ଜୋଶ ନେଇ ରାଜ୍ୟ କଂଗ୍ରେସ ରାଜନୈତିକ ଖସଡା ପ୍ରସ୍ତୁତ ହୋଇଛି । ଦଳପାଇଁ ଚେହେରା ସାଜିଥିବା ନେତାମାନେ ଏକଜୁଟ ହେବା ଓ ପିସିସି ସମସ୍ତଙ୍କୁ ସାଥିରେ ନେଇ ସଂଗଠନକୁ ମଜଭୁତ କରିବା ଦଳ ପାଇଁ ନୂଆବର୍ଷରେ ବଡ ଚ୍ୟାଲେଂଜ ଉଭା ହୋଇଛି ।

